ନାଇଜେରିଆରେ ଆତଙ୍କୀ ହମଲା: ଗର୍ଭବତୀ ମହିଳାଙ୍କ ସମେତ ୩୦ ମୃତ

ଲାଗୋସ୍: ନାଇଜେରିଆର ବର୍ନୋ ରାଜ୍ୟରେ ବୋକୋ ହାରାମ ଆତଙ୍କୀମାନେ ଗୋଟିଏ ଯାତ୍ରୀବାହୀ ବସରେ ନିଆଁ ଲଗାଇଦେବା ଫଳରେ ଜନୈକ ଗର୍ଭବତୀ ମହିଳା ଓ ଶିଶୁଙ୍କ ସମେତ ୩୦ ଜଣ ପୋଡ଼ି ହୋଇ ମରିଛନ୍ତି। ଯାତ୍ରୀମାନେ ବସରେ ଶୋଇଥିବା ଅବସ୍ଥାରେ ଆତଙ୍କୀମାନେ ନିଆଁ ଲଗାଇଥିବା ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି। ରବିବାର ରାତି ପ୍ରାୟ ୧୦ଟାରେ ବର୍ନୋ ରାଜଧାନୀ ମୈଦୁଗୁରିଠାରୁ ପ୍ରାୟ ୨୦ କିଲୋମିଟର ଦୂର ଔନୋ ଗ୍ରାମରେ ଏହି ଘଟଣା ଘଟିଛି। ଆତଙ୍କୀମାନେ ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତି ଟ୍ରକ ସମେତ ପ୍ରାୟ ୧୮ଟି ଗାଡ଼ିକୁ ମଧ୍ୟ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଜଳନ୍ତା ଗାଡ଼ିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅର୍ଦ୍ଧଦଗ୍ଧ ଶରୀର ଦେଖିବାକୁ ମିଳିଛି।

ସୋମବାର ଅପରାହ୍ଣରେ ବର୍ନୋ ରାଜ୍ୟପାଳ ଆତଙ୍କୀ ହମଲା ସ୍ଥାନ ପରିଦର୍ଶନ କରିଥିଲେ। ସୋମବାର ସକାଳ ସୁଦ୍ଧା ଘଟଣାସ୍ଥଳରେ ବହୁ ସାମଗ୍ରୀ ଜଳୁଥିବାର ଦେଖାଯାଇଥିଲା। ଏହି ନାରକୀୟ ଘଟଣା ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଗତ ଦଶନ୍ଧି ଧରି ବୋକୋ ହାରାମ ସଂଗଠନ ସରକାରଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଥିବାରୁ ରାଜ୍ୟପାଳ ସେମାନଙ୍କ ପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି। ବିଗତ ଦଶନ୍ଧି ମଧ୍ୟରେ ପ୍ରାୟ ୧୦ ହଜାର ଲୋକଙ୍କ କୌଣସି ପତ୍ତା ମିଳୁନି। ୨୦୧୪ରେ ଆତଙ୍କୀମାନେ ୧୧୨ ପିଲାଙ୍କୁ ଅପହରଣ କରିଥିଲେ ମଧ୍ୟ ଅଦ୍ୟାପି ସେମାନଙ୍କର କୌଣସି ଖୋଜଖବର ନାହିଁ।

ସୋମବାର ଆଦିସ୍ ଆବବାରେ ଅନୁଷ୍ଠିତ ଆଫ୍ରିକା ରାଷ୍ଟ୍ରସଂଘର ନିରାପତ୍ତା ପରିଷଦ ବୈଠକରେ ନାଇଜେରିଆ ରାଷ୍ଟ୍ରପତି ମୁହାମ୍ମାଦୁ ବୁହାରୀ କହିଛନ୍ତି ଯେ ତାଙ୍କ ସରକାର ଆତଙ୍କୀ କବଳରୁ ନିଖୋଜ ବ୍ୟକ୍ତି ଓ ପିଲାଙ୍କୁ ଉଦ୍ଧାର କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ସେ ବୋକୋ ହାରାମ ଓ ଆଇଏସ୍ ସଂଗଠନର ଆତଙ୍କୀ କାର୍ଯ୍ୟକଳାପକୁ କଡ଼ା ନିନ୍ଦା କରିଛନ୍ତି।