ଫେକ୍ ଆକାଉଣ୍ଟକୁ ସାବଧାନ! ସୋସିଆଲ ମିଡିଆରେ ବ୍ଲାକମେଲ କରି ୩ ଯୁବକ ଗିରଫ ଜିଲ୍ଲାଫଟୋ By Nitidin On Nov 30, 2019 Share -ଫେସବୁକରୁ ଆସିଥିଲା ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ -ହ୍ୱାଟ୍ସ ଆପରେ ଚାଟିଂ ଓ ଭିଡିଓ କଲିଂ -ନଗ୍ନ ଫଟୋ ସହ ଯୁବତୀଙ୍କ ଫଟୋକୁ କରିଥିଲେ ଏଡିଟିଂ ଆଳି,ଏନ୍ଏନ୍ଏସ୍: ସୋସିଆଲ ମିଡିଆକୁ ଅପବ୍ୟବହାର କରି କିଛି ଦୁର୍ବୃତ୍ତ ସଙ୍ଗୀନ ଅପରାଧ ଘଟାଉଥିବାର ନଜୀର ରହିଛି। ତେବେ ସୋସିଆଲ ମିଡିଆର ବିଭ୍ରାନ୍ତିକର ବ୍ୟବହାରରେ ବହୁ ନିରୀହ ଯୁବତୀ ଫସିଯାଇ ସାମାଜିକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏହିଭଳି ଏକ ଘଟଣା ସଂପ୍ରତି ଆଳି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନାରୁ ପ୍ରକାଶ, ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁରର ପ୍ରକାଶ ମଲିକ ନାମକ ଜଣେ ଯୁବକ ନିଜର ଏକ ଫେକ ଆକାଉଣ୍ଟ ପ୍ରକାଶ ରାଜ ସ୍ୱାଇଁ ନାମରେ ଖୋଲି ଜଣେ ଯୁବତୀଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲା। ଯୁବତୀ ଜଣକ ତାହାକୁ ସ୍ୱୀକାର କରିବା ପରେ ପରସ୍ପର ମତ ବିନିମୟ କରିଥିଲେ। ଆସ୍ତେଆସ୍ତେ ଉକ୍ତ ଯୁବକ ଉଦ୍ଦେଶ୍ୟମୂଳକ ଭାବେ ସମ୍ପର୍କ ବଢାଇ ଯୁବତୀଙ୍କ ଠାରୁ ହ୍ୱାଟ୍ସଅପ ନମ୍ବର ଆଣି ସେଥିରେ ନିଜ ବିଷୟରେ ମିଥ୍ୟା ତଥ୍ୟ ଦେଇ ବନ୍ଧୁତ୍ୱ ବଢାଇ ଥିଲେ। ଅନେକ ସମୟରେ ସେ ଯୁବତୀଙ୍କ ସହିତ ଭିଡିଓ କଲିଂ ଓ ମେସେଞ୍ଜରରେ କଲ୍ କରୁଥିଲେ ଓ ସେଗୁଡିକୁ କ୍ୟାପଚର କରି ରଖୁଥିଲେ। କିଛି ଦିନ ପରେ ସେ ଯୁବତୀ ଜଣଙ୍କୁ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା, ବାହାରକୁ ଯାଇ ବୁଲିବା ଓ ନିଜର ନଗ୍ନ ଫଟୋ ପଠାଇବାକୁ ଅନୁରୋଧ କରିଥିଲେ। ଯୁବତୀ ଜଣକ ପ୍ରକାଶଙ୍କ ଉଦ୍ଦେଶ୍ୟ ଜାଣିପାରି ତାଙ୍କୁ ମନାକରିବା ସହ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ। ଏହାପରେ ପ୍ରକାଶ ନିଜ ଫଟୋକୁ ସଂପୃକ୍ତ ଯୁବତୀଙ୍କ ଫଟୋ ସହ ଯୋଡି ପଠାଇବା ସହ ଯଦି ମୋ କଥାରେ ରାଜି ନହେବ ତାହେଲେ ଯୁବତୀ ଜଣଙ୍କ କରିଥିବା ଭିଡିଓ କଲର କ୍ୟାପଚରକୁ ଏଡିଟିଂ ମାଧ୍ୟମରେ ଅଶ୍ଳିଳ କରି ଭାଇରାଲ କରିବାକୁ ଧମକ ଦେଇଥିଲେ। ଏହାପରେ ପ୍ରକାଶ ନିଜର ସାଙ୍ଗ ରଶ୍ମିରଞ୍ଜନ ମଲିକ ଓ ଶ୍ୟାମସୁନ୍ଦର ମଲିକଙ୍କ ମୋବାଇଲରୁ ଯୁବତୀଙ୍କ ବିଭିନ୍ନ ଫଟୋ ଭାଇରାଲ କରିଥିଲେ। ଯୁବତୀ ଜଣଙ୍କ ଆଳି ଥାନାରେ ଏ ସଂପର୍କରେ ଅଭିଯୋଗ କରିବା ପରେ ଆଇଆଇସି ସଲିଳ କୁମାର ପ୍ରଧାନ ଘଟଣାର ତଦନ୍ତ ଭାର ନିଜେ ନେଇ କେସନଂ ୨୦୨/୧୯ ରେ ପଞ୍ଜିକରଣ କରି ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ଶନିବାର ଅପରାହ୍ନରେ କୋର୍ଟଚାଲାଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। Share