କର୍ମଚାରୀଙ୍କ ପତ୍ନୀଙ୍କୁ ଅସଦାଚରଣ ମାମଲା: ଏସାର ଡେପୁଟି ମୁଖ୍ୟଙ୍କୁ ୩ ବର୍ଷ ଜେଲ୍

ଜଗତସିଂହପୁର,ଏନ୍ଏନ୍ଏସ୍: ବୁଧବାର ଜଗତସିଂହପୁର ଜିଲ୍ଲା ପାରାଦୀପସ୍ଥିତ ଏସାର ପାୱାର ପ୍ଲାଣ୍ଟର ଡେପୁଟି ପ୍ଲାଣ୍ଟ ହେଡ୍ ରାଘବ ରାଓଙ୍କୁ ଜଗତସିଂହପୁରର ବରିଷ୍ଠ ଦେୱାନି ବିଚାରପତି ଓ ମହିଳା ଅଦାଲତର ସହକାରୀ ଦୌରାଜଜ୍ ଅନ୍ନପୂର୍ଣ୍ଣା ନାୟକ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ବାବଦରେ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରୁ ଜଣାଯାଇଛି। ଶ୍ରୀ ରାଓଙ୍କ ଘୀ ଆନ୍ଧ୍ରପ୍ରଦେଶ ବିଶାଖାପଟମ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉ କି, ୨୦୧୭ ମସିହାରେ ଏସାର ପାୱାର ପ୍ଲାଣ୍ଟ୍ର ଜଣେ କର୍ମଚାରୀ ପ୍ଲାଣ୍ଟରେ କାର୍ଯ୍ୟରତ ଥିବା ସମୟରେ ପ୍ଲାଣ୍ଟର ଡେପୁଟି ପ୍ଲାଣ୍ଟ ହେଡ୍ ରାଘବ ରାଓ ତାଙ୍କ ଘରକୁ ଆସି ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ୨୦୧୭ ଫେବୃୟାରୀ ୨୨ ତାରିଖରେ ପାରାଦୀପ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ରାଘବ ରାଓ ବିରୋଧରେ ଦଫା ୩୭୬/ ୫୧୧/ ୪୫୭/ ଆଇପିସିରେ ମାମଲା ନମ୍ବର ୧୯/୨୦୧୯ ରୁଜୁ କରି ରାଘବ ରାଓଙ୍କୁ ଗିରଫ କରିଥିଲେ। ପାରାଦୀପ ଥାନାର ଏହି ମାମଲାକୁ ବରିଷ୍ଠ ଦେୱାନି ବିଚାରପତି ଓ ମହିଳା ଅଦାଲତର ସହକାରୀ ଦୌରାଜଜ୍ ମୁଦଲାଙ୍କ ସମେତ ୧୨ଜଣ ସାକ୍ଷ୍ୟ ପ୍ରମାଣକୁ ନେଇ ଅଭିଯୁକ୍ତ ରାଘବ ରାଓଙ୍କ ବିରୋଧରେ ଏହି ରାୟ ପ୍ରକାଶ ପାଇଥିବା ସରକାରୀ ଓକିଲ ବିଳାସ ଲେଙ୍କା ପ୍ରକାଶ କରିଛନ୍ତି।