ଚୋରା ବାଲି ନେଇ ଯାଉଥିବା ୩ ଟ୍ରାକ୍ଟର ଜବତ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ସନଗୋଡ଼ ନଦୀରୁ ବାଲି ଚୋରି କରି ନେଉଥିବା ୩ଟି ଟ୍ରାକ୍ଟରକୁ ଆଜି ପୁଲିସ ଜବତ କରି ଥାନାକୁ ଆଣିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦେଓଗାଁ ତହସିଲର ଚନ୍ଦ୍ରପୁର ରେଳ ବ୍ରିଜ ତଳୁ ବାଲି ବୋଝେଇ ହୋଇ ଆସୁଥିବା ବେଳେ ଦେଓଗାଁ ପୁଲିସ ଚଢ଼ଉ କରି ଥାନାକୁ ନେଇଥିଲା। ଏହି ୩ଟି ଗାଡ଼ିରୁ ୨ଟି ନମ୍ବର ବିହୀନ ଅଛି। ଗୁଡ଼ଭେଳା ତହସିଲର ଲିଖିରିଆ ବାଲି ଘାଟରୁ ବାଲି ଆସୁଥିବାର ଦଲିଲ ଗାଡ଼ି ମାଲିକ ଦେଖାଉଥିବା ବେଳେ ପୁଲିସ ରେଲ ବ୍ରିଜ ତଳୁ ଗାଡ଼ିକୁ ଧରି କେମିତି ଥାନାକୁ ନେଲା ତାହା ତଦନ୍ତ ସାକ୍ଷେପ।

ସେହିପରି ଗତକାଲି ମଧ୍ୟ ଜରାସିଂହା ଆରଆଇ ସର୍କିଲ ଅଧିନସ୍ଥ ସାଲେପାଲି ଉଚ୍ଚବାହାଲି ବାଲି ଘାଟରୁ ବାଲି ଚୋରା ଚାଲାଣ କରୁଥିବା ୨ଟି ଟ୍ରାକ୍ଟରକୁ ପୁଲିସ ଜବତ କରି ଥାନାକୁ ଆଣିଥିଲା। ଏନେଇ ଦେଓଗାଁ ତହସିଲଦାର ନାରାୟଣ ସାହୁଙ୍କୁ ପଚାରିବାରୁ ଆଜି ଛୁଟି ଦିନ ଜବତ ହୋଇଥିବା ଟ୍ରାକ୍ଟର ବିଷୟରେ ସୋମବାର ଦିନ ସୂଚନା ଦିଆଯିବ ବୋଲି ଜଣାଇଛନ୍ତି।
ଦେଓଗାଁ ଅଞ୍ଚଳରେ ପ୍ରତି ଦିନ ବାଲି ଚୋରା ଚାଲାଣ କାରବାର ବଢ଼ିବାରେ ଲାଗିଛି। ଦେଓଗାଁ, ଚନ୍ଦ୍ରପୁର ରେଳ ବ୍ରିଜ ତଳ, ଜରାସିଂହା ସତୀ ଘାଟ, ସାଲେପାଲି ବ୍ରିଜ ତଳୁ ଶହ ଶହ ଟ୍ରିପ ବାଲି ଜେସିବି ସାହଯ୍ୟ ରେ ଚୋରି ହେଉଛି। ତେଣୁ ଏହା ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ସହିତ ସଜାଗ ରହିବା ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି।