୩ ଟ୍ରାକ୍ଟର ବ୍ୟାଟେରି ଜବତ, ୨ ଚୋର ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ପୁଲିସ ୨ ଜଣ ଚୋରକୁ ଗିରଫ କରିବାସହ ସେମାନଙ୍କ ଠାରୁ ୩ଟି ଟ୍ରାକ୍ଟର ବ୍ୟାଟେରି ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ସତସଙ୍ଗ ବିହାର ଝୁପଡିପଡାର ଛୁନୁ ଏକ୍କା(୨୦), ଉଦୟ ପାତ୍ର (୨୦) ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ବ୍ରଜରାଜନଗରର ସରୋଜ କୁମାର ରୋହି ଦାସଙ୍କ ଟ୍ରାକ୍ଟର (ଓଡି-୨୩ଜି-୬୭୯୮)ରୁ ଚୁଆକାନି ଅଞ୍ଚଳରେ ଥିବାବେଳେ କେହି ଦୁର୍ବୃତ୍ତ ବ୍ୟାଟେରି ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା। ସେହିପରି ଏହି ଅଞ୍ଚଳରୁ ରାଜେନ୍ଦ୍ର ଜସୱାଲ ଓ ବିନୋଦ କୁମାର ସାହୁଙ୍କ ଟ୍ରାକ୍ଟରରୁ ବ୍ୟାଟେରି ମଧ୍ୟ ଚୋରି ହୋଇଥିଲା। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।