ରାୟଗଡାରେ ମଦଭାଟିର କୁଟିର ଶିଳ୍ପ: ୩ହଜାର ଲିଟର ପୋଚ ନଷ୍ଟ

ରାୟଗଡା ୨୧/୧୦ ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାରେ କୁଟିର ଶିଳ୍ପରେ ପରିଣତ ହେବାରେ ଲାଗିଛି ଦେଶି ମଦଭାଟି । ଦେଶୀ ରନ୍ଧାମଦ ଚୋରା ଚାଲାଣକୁ ରାେକିବା ଦିଗରେ ବିଫଳ ହୋଇଛି ଅବକାରୀ ବିଭାଗ । ସେପଟେ ବିନା ଅବକାରି ବିଭାଗର ସହାୟତାରେ ପୁଲିସ ଆରମ୍ଭ କରିଛି ଚଢାଉ ଆଭିଯାନ ।

ସୋମବାର ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅଧିନ ଅଞ୍ଚଳଗୁଡିକର ଘଞ୍ଚ ଜଙ୍ଗଲଗୁଡିକରେ ଲୁଚିଛପି ପୋଚ ଓ ବେଆଇନ ଦେଶି ରନ୍ଧାମଦ ତିଆରି କରୁଥିବା ସ୍ଥାନଗୁଡିକରେ ଚଢାଉ କରି ବିପୁଳ ପରିମାଣରେ ପୋଚକୁ ନଷ୍ଟ କରିବା ସହ ରନ୍ଧାମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଥିବା ଚୋରା ମଦ ବ୍ୟବସାୟୀମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ସାେମବାର ଦିନ ରାୟଗଡ ଜିଲ୍ଲା ସଦର ବ୍ଲକ ମୀରାବାଲି ପଞ୍ଚାୟତର ବିଭିନ୍ନ ଗାଁରେ ଶେଷଖାଲ ଥାନାଧିକାରୀ ଶ୍ରୀମତି ବିଜୟଲକ୍ଷ୍ମୀ ହୁଇକାଙ୍କ ନେତୃତ୍ୱରେ ଚଢାଉ କରାଯାଇ ଥିଲା । ଏହି ଚଢାଉ ସମୟରେ ବେଆଇନ ଦେଶି ମଦଭାଟି ଭାଙ୍ଗିବା ସହ ୩୦୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା । ତେବେ ମିରାବାଲି ଗ୍ରାମର ରମଣି ବିଡିକା(୩୫) ଏହି ମଦଭାଟିର କରିଥିବାବେଳେ ତାଙ୍କ ଠାରୁ ୨୦ଲିଟର ଦେଶୀ ରନ୍ଧାମଦ ଜବତ କରିଛି ପୁଲିସ । ବେଆଇ ଦେଶିମଦ ରାନ୍ଧିବା ମାମଲାରେ ରମଣିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଥାନାଧିକାରୀ ଶ୍ରୀମତି ହୁଇକା ।

ଏହା ପୂର୍ବରୁ ଶେଷଖାଲ ଥାନା ଅଧିନର ଜିମ୍ବାକାଟି, ରେଙ୍ଗାଲପାଡୁ, ସାନ୍ଧୁବାଡି ଅଞ୍ଚଳରେ କେବଳ ଶେଷଖାଲ ପୁଲିସ ଚଢାଉ କରି ବିପୁଳ ମାତ୍ରାରେ ପୋଚ ଏବଂ ଦେଶି ମଦ ଭାଟିଗୁଡିକ ଭାଙ୍ଗି ନଷ୍ଟ କରାଯାଇଛି ।

ପ୍ରକାଶ ଥାଉ କି ଜିଲ୍ଲା ସଦର ମହକୁମାର ୨୦ କିଲୋମିଟର ପରିଦ୍ଧି ମଧ୍ୟରେ ଛତୁ ଫୁଟିବା ଭଳି ବେଆଇନ ଦେଶି ମଦ ଭଟି ଗଢିଉଠିଥିବା ବେଳେ ଧର ପଗଡ କିମ୍ବା ଚୋରା ମଦ ବେପାରୀଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନି ଅବକାରୀ ବିଭାଗ । ଲାଗୁଛି ସତେ ଯେପରି ସ୍ଥାଣୁ ପଲଟିଯାଇଛି ସମ୍ପୃକ୍ତ ବିଭାଗ । ବେଳ ଥାଉଣୁ ସଜାଗ ନ ହେଲେ ବଡ ଧରଣର ମଦ ମୃତ୍ୟୁକୁ ଏଡାଇ ଦେଇ ହେବନାହିଁ ।