ଆତଙ୍କୀ ଆଡ୍ଡା ଛିନଛତର, ପାକିସ୍ତାନର ୧୦ ସୈନିକ ମୃତ

ଶ୍ରୀନଗର: ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି। ଭାରତୀୟ ସେନାର ଆକ୍ରମଣରେ ୩ଟି ଆତଙ୍କୀ କ୍ୟାମ୍ପ ଧ୍ୱଂସ ହେବା ସହିତ ୬/୧୦ଜଣ ପାକିସ୍ତାନ ସେନାଙ୍କ ମୃତ୍ୟୁ ହୋଇଥିବା ନେଇ ସେନା ମୁଖ୍ୟ ବିପିନ ରାୱତ କହିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଇଥିଲା। ନୀଲମ ଉପତ୍ୟାକା ଟାଙ୍ଗଧର ଅଞ୍ଚଳରେ ଥିବା ଆତଙ୍କୀ ଆଡ୍ଡା ଥିବା ନେଇ ଠୋସ୍ ପ୍ରମାଣ ପାଇଥିଲୁ । ସେଥିପାଇଁ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲୁ। ପାକିସ୍ତାନ ଉପରେ ନଜର ରଖାଯାଇଛି, ସେନା ସଜାଗ ରହିଛି ଓ ଆମେ କଡା ଜବାବ ଦେବୁ ବୋଲି କହିଛନ୍ତି।

ପାକିସ୍ତାନର ସେନା ଅଧିକାରୀ ଟୁଇଟ୍ କରି ଦାବି କରିଛନ୍ତି, ପାକିସ୍ତାନ ସେନାର ଗୁଳିରେ ୯ ଜଣ ଭାରତୀୟ ଯବାନ ନିହତ ହୋଇଛନ୍ତି। ଅନେକ ଆହତ ହୋଇଥିବାବେଳେ ୨ଟି ବଙ୍କର ନଷ୍ଟ ହୋଇଛି। ସେହିପରି ଭାରତୀୟ ଯବାନଙ୍କ ଆକ୍ରମଣରେ ପାକିସ୍ତାନର ଜଣେ ଯବାନ ନିହତ ହୋଇଛନ୍ତି ବୋଲି କହିଥିବାବେଳେ ୩ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ଦାବି କରିଛି। ଏହାପରେ ପାକିସ୍ତାନ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁବାଲିଆଙ୍କୁ ତଲବ କରିଛି।

ଆଜି ସକାଳେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତିନି ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। କୁପଓ୍ୱାଡା ଜିଲ୍ଲାର ତଙ୍ଗଧାର ସେକ୍ଚରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ।