ପାକିସ୍ତାନ ବିଜୟରେ ଉତ୍ସବ ପାଳିଥିବା ୩ ଛାତ୍ର ଗିରଫ

ନୂଆଦିଲ୍ଲୀ: ଟି-ଟ୍ୱୋଣ୍ଟି ବିଶ୍ୱକପରେ ପାକିସ୍ତାନଠାରୁ ଭାରତ ହାରିବା ପରେ ଶ୍ରୀନଗର ଓ ଜମ୍ମୁ-କଶ୍ମୀରର କିଛି ଛାତ୍ର ଉତ୍ସବ ମନାଉଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ପରିଣାମସ୍ୱରୂପ ଜମ୍ମୁ-କଶ୍ମୀରର ୩ଜଣ ଛାତ୍ରଙ୍କୁ ଆଗ୍ରାରୁ ଗିରଫ କରାଯାଇଛି। ଏହି ୩ଜଣଙ୍କ ଉପରେ ଧର୍ମ ଓ ସାଇବର ଆତଙ୍କବାଦ ଆଧାରରେ ସମୁଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବାର ଆରୋପ ଲାଗିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ଅର୍ଶୀଦ ୟୁସୁଫ, ଇନାୟତ ଅଲତାଫ ଶେଖ ଓ ଶୋକତ ଅହମ୍ମଦ। ଏହି ୩ଜଣ ଆଗ୍ରାସ୍ଥିତ ରାଜା ବଲବନ୍ତ ସିଂହ କଲେଜର ଇଞ୍ଜିନିୟରିଂ ଛାତ୍ର।

ସୂଚନାଯୋଗ୍ୟ, ପାକିସ୍ତାନ ବିଜୟରେ ଉତ୍ସବ ପାଳିଥିବା ସମସ୍ତଙ୍କ ଉପରେ ଦେଶଦ୍ରୋହର ଆରୋପ ଲଗାଯିବ ବୋଲି ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ କରାଯାଇଥିଲା। ତେଣୁ ଗିରଫ ହୋଇଥିବା ୩ ଯୁବକଙ୍କ ଉପରେ ଦେଶଦ୍ରୋହର ଆରୋପ ଲାଗିବ ବୋଲି ଏହି ଟ୍ୱିଟ୍ ସଙ୍କେତ ଦେଉଛି।