ଦିଗପହଣ୍ଡି,ଏନ୍ଏନ୍ଏସ୍: ଶୁକ୍ରବାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡି ଗ୍ରାମ ତଳସାହିରେ ଗୋଟିଏ ପରିବାରର ୨ଝିଅଙ୍କ ମୃତ୍ୟୁ ହୋଇଥିଲା। ସାନ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଯାଇଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା ଶନିବାର ସାନ ଭଉଣୀର ମେଡିକାଲରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ମୃତ ୩ ଭଉଣୀ ହେଲେ ଟିକିନା ରେଡ୍ଡୀ(୬) ସୋମା ରେଡ୍ଡୀ (୯) ବର୍ଷା ରେଡ୍ଡୀ (୧୨) ।
ସୂଚନା ଅନୁଯାୟୀ, ବର୍ଷା ଓ ସୋମା କସ୍ତୁରୀଙ୍କ ବଡ଼ ଝିଅଙ୍କ ସନ୍ତାନ ହୋଇଥିବାବେଳେ ଟିକିନା ସାନ ଝିଅର ସନ୍ତାନ ବୋଲି ଜଣାପଡ଼ିଛି। କସ୍ତୁରୀଙ୍କ ଦୁଇ ଝିଅ ପାଟପୁର ଥାନା ମାଟିଆ ବୁରେଇ ଗ୍ରାମର ବିବାହ ହୋଇଥିଲେ ମଧ୍ୟ ତୁରୁବୁଡି ଗ୍ରାମରେ ଗତ ୫/୬ ବର୍ଷ ହେଲା ଭଡ଼ା ଘରେ ରହୁଥିଲେ। କସ୍ତୁରୀଙ୍କ ଦୁଇ ଜ୍ୱାଇଁ ଦିନ ମଜୁରିଆ ହୋଇଥିବାରୁ ଘଟଣା ବେଳକୁ ପାଖରେ ନଥିଲେ। ଏସବୁ ଘଟଣା ଘଟିଗଲା ପରେ ସମସ୍ତ ପରିବାର ମାଟିଆବୁରେଇ ଗ୍ରାମକୁ ଚାଲିଯାଇଛନ୍ତି। ଘଟଣାକୁ ନେଇ ତୁରୁବୁଡି ଗ୍ରାମରେ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି। ଘରେ ରଖିଥିବା କୀଟନାଶକ ଔଷଧ ପ୍ରଭାବରେ ଏଭଳି ଘଟଣା ଘଟିଯାଇଛି ବୋଲି କିଛି ଲୋକ କହୁଥିବାବେଳେ ଅନକେତେକ ଘଟଣା ଦିନ ତାଙ୍କ ଘରେ ମାଂସ ରୋଷେଇ ହୋଇଥିଲା। ମାଂସଖାଇ ଏଭଳି ଅବସ୍ଥା ଘଟିଛି ବୋଲି ଆଲୋଚନା ହେଉଛି।