ନିଆଁ ଲାଗି ଜଳିଗଲା ୩ଟି ଦୋକାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ବସଷ୍ଟାଣ୍ଡରେ ଥିବା ୩ଟି ଦୋକାନରେ ନିଆଁ ଲାଗିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୋକାନ ସହ ଏହା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିଶମ ବିଭାଗ ସୂଚନା ପାଇବା କ୍ଷଣି ଘଟଣାସ୍ଥଳରେ ପହଂଚି ଆଖପାଖ ଦୋକାନରେ ନିଆଁ ଲାଗିବା ପୂର୍ବରୁ ଏହାକୁ ଆୟତ୍ତ କରିବାରୁ ଏକ ବଡ଼ ଧରଣର ବିପତ୍ତି ଟଳି ଯାଇଛି। ତେବେ ଏହି ଦୋକାନଗୁଡ଼ିକରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୨ଟାରେ ଟାଉନ ଥାନା ପୁଲିସ ପେଟ୍ରୋଲିଂ କରୁଥିବାବେଳେ ଝାରସୁଗୁଡ଼ା ବସଷ୍ଟାଣ୍ଡ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲା। ପୁଲିସ ବସଷ୍ଟାଣ୍ଡ ଭିତରକୁ ଯିବା ପରେ ୩ଟି ଦୋକାନ ହୁ ହୁ ହୋଇ ଜଳୁଥିବାର ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ପ୍ରାୟ ୨ ଘଣ୍ଟା ଅକାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।