ଥାନାରୁ ହ୍ୟାଣ୍ଡକପ ଭାଙ୍ଗି ଅଭିଯୁକ୍ତ ଚମ୍ପଟ: ୩ ପୁଲିସ କର୍ମଚାରୀ ନିଲମ୍ବିତ

ବାରିପଦା,ଏନ୍ଏନ୍ଏସ୍: ନଭେମ୍ବର ୪ ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନା ଭିତରୁ ଜଣେ ଅଭିଯୁକ୍ତ ହ୍ୟାଣ୍ଡକପ୍ ଭାଙ୍ଗି ଚମ୍ପଟ ମାରିଥିଲାଏବଂ ଚମ୍ପଟ ମାରିବାର ୧୨ ଘଂଟା ମଧ୍ୟରେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ମାତ୍ର ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର କର୍ତବ୍ୟରେ ଅବହେଳା କରିଥିବାର ଦର୍ଶାଇ ବାରିପଦା ଟାଉନ ଥାନା ଏଏସଆଇ ବାସନ୍ତୀ ସିଂ, କନେଷ୍ଟବଳ(୧୧୯୭) ତପନ କୁମାର ବାରିକ ଓ ଓଏପିଏଫ/୧୨୪ ଚୈତନ୍ୟ ଅମାନତ୍ୟଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଇଥିବାର ଜଣାପଡ଼ିଛି।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଜଗନ୍ନାଥପୁର ଅଂଚଳର ରବି ଟିଟୁ ବାରିପଦା ପୌରପରିଷଦର ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଡ୍ରାଇଭର ଭାବେ ରହି ଗାଡ଼ି ଚଳାଉଥିଲା। ନଭେମ୍ବର ୪ ସୋମବାର ରାତି ପ୍ରାୟ ଗୋଟାଏ ସମୟରେ ନିଶାଶକ୍ତ ଅବସ୍ଥାରେ ୱାର୍ଡ଼ ନମ୍ବର ୭ରେ ସମସ୍ତେ ଶୋଇଥିବା ବେଳେ କୌଶଳ କ୍ରମେ ଏକ ବ୍ୟକ୍ତି ଘର ଭିତରକୁ ପ୍ରବେଶ କରି ତାଙ୍କର ଝିଅ ସହ ଅସଦାଚରଣ କରିବା ନିମନ୍ତେ ଉଦ୍ୟମ କରିଥିଲେ ଏବଂ ଝିଅର ନିଦ ଭାଙ୍ଗିଯିବାରୁ ସେ ଚିତ୍କାର କରିଉଠିଥିଲା।

ଫଳରେ ଅଭିଯୁକ୍ତ ରବି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଘରର ସମସ୍ତ ସଦସ୍ୟ ଓ ପଡ଼ୋଶୀମାନେ ତାକୁ ଗୋଡ଼ାଇ କାବୁ କରିବା ପରେ ବାରିପଦା ଟାଉନ ଥାନା ପୁଲିସ ଡ଼କାଇ ହସ୍ତାନ୍ତର କରିଥିଲେ। ଝିଅର ପିତାଙ୍କ ଅଭିଯୋଗ କ୍ରମେ ରବି ନାମରେ ବାରିପଦା ଟାଉନ ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ୪୫୭/୩୫୪ ଓ କେଶ ନଂ ୩୩୨/୨୦୧୯ରେ ମାମଲା ରୁଜୁ ହୋଇଥିଲା।

ସୋମବାର ରାତିରେ ଥାନାରେ ଜଣେ କନେଷ୍ଟବଳ ଓ ଜଣେ ଅଫିସର ଡ଼୍ୟୁଟିରେ ରହିଥିଲେ। ରବିକୁ ହାଜର ଲୁହା ରଡ଼ରେ ହ୍ୟାଣ୍ଡକପ୍ ପକାଇ ଦେଇଥିଲେ। ସେମାନଙ୍କର ଅସାବଧାନତାର ସୁଯୋଗ ଉଠାଇ ରାତି ପ୍ରାୟ ସାଢ଼େ ୩ଟା ପାଖାପାଖି ଅଭିଯୁକ୍ତ ରବି ହାତରେ ପଡ଼ିଥିବା ହ୍ୟାଣ୍ଡକପକୁ କୌଶଳ କ୍ରମେ ଭାଙ୍ଗି ଚମ୍ପଟ ମାରିଥିଲେ। ଖବର ଜଣାପଡ଼ିବା ପରେ ପୁଲିସ ରବିକୁ ଧରିବା ପାଇଁ ଚାରିଆଡ଼େ ପଇଁତରା ମାରିବା ଆରମ୍ଭ କରିଥିଲେ। ଶେଷରେ ଅପରାହ୍ନ ପ୍ରାୟ ୨.୩୦ ପାଖାପାଖି ବାରୁଣୀ ଅଂଚଳରୁ ପୁଲିସ ରବିକୁ ଧରିବାରେ ସଫଳ ହୋଇଥିଲେ।