ବାରକୋଟ ପୁଲିସକୁ ବଡ଼ ସଫଳତା, ମାରଣାସ୍ତ୍ର ସହ ୩ ପିଏଲଏଫଆଇ ସଦସ୍ୟ ଗିରଫ ଜିଲ୍ଲା By Nitidin On Dec 14, 2019 Share ଦେବଗଡ଼,ଏନ୍ଏନ୍ଏସ୍: ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ବାରକୋଟ ଥାନା ପୁଲିସ ୩ ଜଣ ମୋଷ୍ଟ ୱାଣ୍ଟେଡ୍ ପିଏଲଏଫଆଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମନାଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଏ ସମ୍ପର୍କରେ ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି। ଏସପି ଶ୍ରୀ ଜୈନଙ୍କ ସୂଚନା ଅନୁଯାୟୀ ଗତ ୧୨ ତାରିଖରେ ରାତ୍ରି ପ୍ରାୟ ୧୧ଟା ସମୟରେ ବାରକୋଟ ଥାନା ଅନ୍ତର୍ଗତ ଆମ୍ବଗାଁ ଠାରେ ଥିବା ଏକ ବିଦ୍ୟାଳୟର ପରିତ୍ୟକ୍ତ ଛାତ୍ରାବାସରେ ଏକାଧିକ ବ୍ୟକ୍ତି ମାରଣାସ୍ତ୍ର ସହ ଡକାୟତି ପାଇଁ ଯୋଜନା କରୁଥିବା ଖବରପାଇ ବାରକୋଟ ଥାନାଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ, ସବ୍ ଇନ୍ସପେକ୍ଟର ଦେବବ୍ରତ ନାଏକ ସଦଳବଳେ ସେଠାରେ ପହଞ୍ଚି ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରୁ ୨ଜଣ ପିସ୍ତଲ ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ଅନ୍ୟ ୩ ଜଣଙ୍କୁ କାବୁ କରିଛି। ସେମାନେ ହେଲେ ଝାରଖଣ୍ଡ ରାଜ୍ୟ ଖୁଣ୍ଟି ଜିଲ୍ଲା ଗୁଫୁ ଗ୍ରାମର ମଣ୍ଟୁୁ ଓରଫ ଯୋଗେଶ୍ୱର ସିଂ, ସିମଡ଼େଗା ଜିଲ୍ଲା ଟୁନିଆ ଗ୍ରାମର ମୁନ୍ନା ଓରଫ ମନୋଜ କାଣ୍ଡୁଲାନା ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ମୁନ୍ନା ଓରଫ ଦିଲ୍ଲୀପ କେଶରୀ। ପୁଲିସ ସେମାନଙ୍କୁ ପଚରାଉଚୁରା କରୁଥିବା ଜଣାପଡ଼ିଛି। ସେହିପରି ସେମାନଙ୍କ ନିକଟରୁ ୧ଟି ଚାଇନା ନିର୍ମୀତ ଅଟୋମେଟିକ ପିସ୍ତଲ, ୨ ଦେଶୀ ପିସ୍ତଲ, ୮ଟି ଜୀବନ୍ତ ଗୁଳି, ୩ଟି ମୁଖା, ଗୋଟିଏ ଖଣ୍ଡା, ୩ଟି ମୋଟରସାଇକଲ, ସିଗାରେଟ ପ୍ୟାକେଟ, ପାଣି ବୋତଲ ଓ ବିଦେଶୀ ମଦ ଜବତ ହୋଇଛି। ସେମାନଙ୍କ ନାମରେ ବାରକୋଟ ଥାନାରେ କେସ୍ ନଂ-୧୭୭/୧୯ ରେ ବିଭିନ୍ନ ଦଫାରେ ମାମଲା ଋୁଜୁ କରି ଆଜି କୋର୍ଟ ଚାଳାଣ କରାଯାଇଥିଲା। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ହାଜତକୁ ପଠାଇଦିଆଯାଇଛି। Share