କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଜାମଜୋରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାାଁର କିଛି ଲୋକ ବିଲକୁ ଧାନ କାଟିବାକୁ ଯାଇ ଭାଲୁ ଆକ୍ରମଣରେ ଗୁରୁତର ହୋଇ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ଜାମଜୋର ଗ୍ରାମରବାସୀ ବିଲକୁ ଧାନ କାଟିବାକୁ ଯାଇଥିବା ସମୟରେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ପସି ଆସି ସମସ୍ତଙ୍କୁ ଆକ୍ରମଣ କରିଥିଲା । ଲୋକେ ହଠାତ ଭାଲୁକୁ ଦେଖି ପ୍ରାଣ ବିକଳରେ ଦୌଡ଼ି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ହେଲେ ଜାମଜୋର ଗ୍ରାମର ସୁମିତ୍ରା ଗୌଡ଼ ନାମକ ଜଣେ ମହିଳା ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ଭାଲୁ ମହିଳାଙ୍କ ମୁହଁରେ ଆକ୍ରମଣ କରୁଥିବାବେଳେ ଆଉ ଜଣେ ମହିଳା ଓ ପୁରୁଷ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ଆଉ ବଞ୍ଚାଇବାକୁ ଯାଇଥିବା ମହିଳା ଓ ପୁରୁଷ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ପରେ ଭାଲୁଟି ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲା । ଧାନ କାଟିବାକୁ ଯାଇଥିବା ଅନ୍ୟ ସଦସ୍ୟ ଓ ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ହେଲେ ସୁମିତ୍ରାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୨ ଗୁରୁତର ଭବାନୀପାଟଣାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।