ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୩ ଆହତ

ବଲାଂଗୀର,ଏନଏନଏସ: ବଲାଂଗୀର ସହର ରେ ଦୁଇଟି ପଡାର ଦୁଇ ଗୋଷ୍ଟି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଏଇ ଗୋଷ୍ଟି ସଂଘର୍ଷ ରେ ମାରଣାସ୍ତ୍ର ଦ୍ବାରା ଆକ୍ରମଣର ଶିକାର ହୋଇ ୩ ଜଣ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ଉଭୟ ପଡାରେ ଉତ୍ତେଜନା ଲାଗି ରହିଥିବାରୁ ଏକ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି । ଆହତମାନେ ହେଲେ ବିଭୂତି ପଡାର ସଦାନନ୍ଦ ବେହେରା(୨୮) , ଲକ୍ଷ୍ମୀନଗର ପଡାର ରାମେଶ୍ବର ନାଗ(୨୦) ଓ ଶିବମ ସୁନା(୧୮) ।

ଆହତ ରାମେଶ୍ବରଙ୍କ କହିବାନୁଯାୟୀ, ଦୁଇଦିନ ତଳେ ସେମାନେ ପଇଡ କିଣିବା ପାଇଁ ଯାଇଥିବାବେଳେ ପଇଡ ବିକାଳୀଙ୍କ ସହିତ ଗଣ୍ଡଗୋଳ ହୋଇଥିଲା । ପଇଡ ବିକାଳୀ ଜଣଙ୍କ ଲକ୍ଷ୍ମୀନଗର ପଡାର । ସେହି ଗଣ୍ଡଗୋଳ ପରେ ସମ୍ପୃକ୍ତ ପଇଡ ବିକାଳୀ ପଡାର ଯୁବକମାନଙ୍କୁ ନେଇ ଆଜି ମହାଲକ୍ଷ୍ମୀ ନଗର ନିକଟରେ ଥିବା ଏକ ବ୍ରିଜ ନିକଟରେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଭଳି କି ରାମେଶ୍ବରଙ୍କୁ ସେମାନେ ବ୍ରିଜ ତଳକୁ ଠେଲି ଦେଇଥିଲେ ବୋଲି ଶିବମ କହିଛନ୍ତି ।

ଅପରପକ୍ଷରେ ସଦାନନ୍ଦ କହିଛନ୍ତି ରାମେଶ୍ବର ଓ ଶିବମ ପଡାର ଝିଅମାନଙ୍କୁ ନାନା ପ୍ରକାର ଅଶ୍ଲିଳ କମେଣ୍ଟ ମାରିବା ସହିତ ହଇରାଣ କରି ଆସୁଥିଲେ । ଆଜି ମଧ୍ୟ ପଡାକୁ ଆସି କମେଣ୍ଟ ମାରିଥିଲେ । ଆମେ ମନା କରିବାରୁ ସେମାନେ ଜୀବନରୁ ମାରିଦେବୁ କହି ଫାର୍ସାରେ ଆକ୍ରମଣ କରିଥିଲେ ବୋଲି କହିଛନ୍ତି।