ଆଡ୍ରିଆଟିକ୍ ପିଅର୍ଲ ବକ୍ସିଂରେ ଭାରତକୁ ୩ ସ୍ୱର୍ଣ୍ଣ

ନାଗପୁର,ଏଜେନ୍ସି: ମଣ୍ଟେନେଗ୍ରୋର ବୁଡଭାରେ ଚାଲିଥିବା ୩୦ ତମ ଆଡ୍ରିଆଟିକ୍ ପିଅର୍ଲ ବକ୍ସିଂ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଭାରତୀୟ ବକ୍ସରମାନେ ତିନିଟି ସ୍ୱର୍ଣ୍ଣପଦକ ଜିତିପାରିଛନ୍ତି। ଦ୍ୱିତୀୟ ଦିନରେ ଶନିବାର ଭାରତୀୟ ବକ୍ସର୍ ଆଲଫିୟା ଖାନ୍ ପଠାନ ଯୁକ୍ତ ୮୧ କିଗ୍ରା ଓଜନ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ। ନାଗପୁରର ଏକମାତ୍ର ଆନ୍ତର୍ଜାତୀୟ ବକ୍ସର ତଥା ୧୯ ବର୍ଷରୁ କମ୍ ଏସିଆନ୍ ଚାମ୍ପିଅନ୍ ଆଲଫିୟା ୮୧ କିଗ୍ରାରୁ ଅଧିକ ଓଜନ ବର୍ଗରେ ଦେଶ ପାଇଁ ଏହି ପଦକଟି ଜିତିଥିଲେ। ତାଙ୍କ ବ୍ୟତୀତ ୬୦ କିଗ୍ରା ଓଜନ ବର୍ଗରେ ଭିଙ୍କା ଓ ୭୫ କିଗ୍ରା ବର୍ଗରେ ସନାମଚା ଚାନୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ନାଗପୁରର ଆଫିୟା ୫-୦ରେ ମୋଲଡୋଭାର ଡାରିଆ କୋଜୋରେଭ୍‌ଙ୍କୁ ପରାସ୍ତ କରିଥିବା ବେଳେ ରୋହତକର ଭିଙ୍କା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମୋଲ୍‌ଡୋଭାର କ୍ରିଷ୍ଟିନା କ୍ରିପରଙ୍କୁ ୫-୦ରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛନ୍ତି। ଆହୁରି ମଣିପୁରର ଚାନୁ ନିଜ ଦେଶର ରାଜ ସାହିବାଙ୍କୁ ୫-୦ରେ ହରାଇଛନ୍ତି। ଏହାଛଡ଼ା ରବିବାର ଭାରତ ଦୁଇଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ୍ ପଦକ ମଧ୍ୟ ହାସଲ କରିଛି। ୪୮ କିଗ୍ରା ବର୍ଗରେ ଗୀତିକା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉଜବେକିସ୍ତାନର ଫାର୍ଜୋନା ଫୋଜିଲୋଭାଙ୍କ ନିକଟରୁ ୧-୪ରେ ପରାସ୍ତ ହୋଇ ରୌପ୍ୟ ପାଇଥିବା ବେଳେ ୫୭ କିଗ୍ରା ବର୍ଗରେ ପ୍ରୀତି, ୪୯ କିଗ୍ରା ବର୍ଗରେ ପ୍ରିୟାଂଶୁ ଦାବସ ଓ ଜୁଗ୍‌ନୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି।