ଆଜିଠୁ ଅଣସର ଗୃହକୁ ଗଲେ ତିନି ଠାକୁର

ପୁରୀ,ଏନ୍ଏନ୍ଏସ୍: ଗତକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ଆଜି ଠାରୁ ଜ୍ୱରରେ ପୀଡିତ ହୋଇ ଅଣସର ଗୃହକୁ ଗଲେ ତିନି ଠାକୁର। ଆଜିଠୁ ଅଣସର ପିଣ୍ଡିରେ ଚାଲିବ ଶ୍ରୀଜିଉଙ୍କ ଗୁପ୍ତ ସେବା। ୧୫ ଦିନ ଶ୍ରୀବିଗ୍ରହ ଅଣସର ପିଣ୍ତିରେ ରହିବେ। ତିନି ଠାକୁର ଅଣସର ଗୃହକୁ ଯିବା ପରେ ଅଲାରନାଥ ପୀଠରେ ଦର୍ଶନ ଦେବେ। ଚତୁର୍ଭୁଜ ନାରାୟଣ ଅଲାରନାଥଙ୍କୁ ଦର୍ଶନ ପାଇଁ ବ୍ରହ୍ମଗିରିରେ ଜମିଥାଏ ଭକ୍ତଙ୍କ ଭିଡ। କୁହାଯାଏ ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ଣ୍ୟ ମିଳିଥାଏ।

କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ପାଇଁ ଅଲାରନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ସ୍ୱଳ୍ପ ସେବାୟତଙ୍କ ମଧ୍ୟରେ ଅନୁଷ୍ଠିତ ହେବ ନୀତିକାନ୍ତି। ଏଥିରେ ସେବାୟତଙ୍କ ପାଇଁ ପାସର ବ୍ୟବସ୍ଥା କରାଯାଇଛି। ଭୋର ୪ଟାରୁ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତୀ, ବଲ୍ଲଭ ଧୂପ ଏବଂ ଦିନ ୧୨ଟାରେ ମହାପ୍ରଭୁଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ଏହାପରେ ଅପରାହ୍ମ ୨ଟାରେ ମଧ୍ୟାହ୍ନ ଧୂପ, ୨ଟା ୩୦ରେ ପହଡ ପଡିବ। ସେହିପରି ସନ୍ଧ୍ୟାରେ ଆଳତୀ ଏବଂ ଧୂପ, ରାତି ୯ଟାରେ ବଡସିଂହାର ବେଶ, ସାଢ଼େ ୯ଟାରେ ବଡସିଂଘାର ଧୂପ, ରାତି ୧୦ଟାରେ ମହାପ୍ରଭୁଙ୍କ ପହଡ ପଡିବାର ନୀତି ରହିଛି।