ପୋଖରୀରେ ବୁଡ଼ି ୩ ନାବାଳିକା ମୃତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦେଓ ଗଞ୍ଜଣା ଗ୍ରାମରେ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି।ମୃତ ନାବାଳିକାମାନେ ହେଲେ ଦେବଗଞ୍ଜଣା ଗ୍ରାମର ଘେନୁ ତାମିଲିଙ୍କ ଝିଅ ପୁଜା ତାମିଲି(୧୨), ସୋମନାଥ ଦଳପତିଙ୍କ ଝିଅ ଲିତିକା ଦଳପତି(୧୩) ଓ ବିଭୂତୀ ଭୂଷଣ ପାତ୍ରଙ୍କ ଝିଅ ସନ୍ତୋଷି ପାତ୍ର(୧୩)। ମିଳିଥିବା ରିପୋର୍ଟ ମୁତାବକ, ୩ ନାବାଳିକା ସୋମବାର ଅପରାହ୍ନରେ ପିଜୁଳି ଖାଇବାକୁ ଗ୍ରାମ ଉପକଣ୍ଠ ପୋଖରୀହୁଡ଼ାରେ ଥିବା ଏକ ପିଜୁଳି ଗଛ ନିକଟକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ରାତିରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳେ ଉକ୍ତ ପୋଖରୀରେ ୩ ହଳ ଚପଲ ଭାସୁଥିବା ଦେଖି ଗ୍ରାମବାସୀ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ସୋମନାଥ ଦଳପତି ନନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ଅଗ୍ନିଶମ ଟିମ୍ ସହ ନନ୍ଦପୁର ଥାନାଧିକାରୀ କପିଳେଶ୍ୱର ବେହେରା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଖରୀରେ ଖୋଜାଖୋଜି କରିବା ପରେ ୩ଜଣ ନାବାଳିକାଙ୍କ ମୃତଦେହ ମିଳିଥିଲା। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ  ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବା ସହ ଘଟଣାସ୍ଥଳରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।