ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲା: ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୩ ଗିରଫ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଡିଓଙ୍କ ଦସ୍ତଖତ ଜାଲ କରି ଆଇସିଆଇସିଆଇ ବ୍ୟାଙ୍କ ବୋମାଲୋଇ ଶାଖାରେ ଥିବା ବ୍ଲକ୍ ଅଫିସ ଆକାଉଣ୍ଟରୁ ୧୨ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ହଡ଼ପ ମାମଲାରେ ଖୋଦ ବ୍ୟାଙ୍କର ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ବ୍ୟାଙ୍କର ଶାଖା ପରିଚାଳକ ଅନିର୍ବାଣ ଦେ, କୋଷାଧ୍ୟକ୍ଷ ସୁଧୀର କୁମାର ମେହେର ଏବଂ ପୂର୍ବତନ କୋଷାଧ୍ୟକ୍ଷ ତଥା ସଂପ୍ରତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବନ୍ଧନ ବ୍ୟାଙ୍କରେ କାର୍ଯ୍ୟରତ ପ୍ରବୀଣ ଭାରତୀ। ଏ ନେଇ ଠେଲକୁଲି ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଏହି ୩ ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି।

ମାମଲା ନେଇ ଏସଡିପିଓ ତପନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଆଇସିଆଇସିଆଇ ବ୍ୟାଙ୍କ ବୋମାଲୋଇ ଶାଖାରେ ଥିବା ବ୍ଳକ ଅଫିସର ଆକାଉଣ୍ଟରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଜମା ରହିଥିଲା । ସେଥିରୁ ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା କେହି ବିଡିଓଙ୍କ ଜାଲ ଦସ୍ତଖତରେ ସେଲଫ ଚେକ୍ ଜରିଆରେ ଉଠାଇ ନେଇଥିବା ଗତ ୨୩ ତାରିଖରେ ଜଣାପଡ଼ିଥିଲା। ତେଣୁ ୨୪ ତାରିଖରେ ବିଡିଓଙ୍କ ପକ୍ଷରୁ ଠେଲକୁଲି ଥାନାରେ ଏତଲା ଦିଆଯାଇଥିଲା।

ପୁଲିସ ତଦନ୍ତ ଚଳାଇଥିବାବେଳେ ଗତକାଲି ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ଦେ, କୋଷାଧ୍ୟକ୍ଷ ଶ୍ରୀ ମେହେର ଓ ପୂର୍ବତନ କର୍ମଚାରୀ ପ୍ରବୀଣଙ୍କୁ ହେପାଜତକୁ ଆଣି ପଚରାଉଚୁରା କରିବାରୁ ସେମାନେ ମିଳିତ ଭାବେ ବିଡିଓଙ୍କ ଦସ୍ତଖତ ଜାଲ କରି ଟଙ୍କା ଉଠାଇଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତଙ୍କଠାରୁ ହଡ଼ପ ଟଙ୍କା ଆଦାୟ ପାଇଁ ପ୍ରୟାସ ଚାଲିଥିବା ଏବଂ ତଦନ୍ତ ଜାରି ରହିଥିବା ଏସଡିପିଓ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।