ଭୁବନେଶ୍ୱର,ଏନ୍ଏନ୍ଏସ୍: ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ସେଠାରେ କରୋନା ମୁକାବିଲାର ସ୍ଥିତି ସମୀକ୍ଷା କରିବା ଲାଗି ଆଜି ରାଜ୍ୟ ସରକାର ୩ ସଚିବଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କିପରି ଉକ୍ତ ଜିଲ୍ଲାମାନଙ୍କରେ କୋଭିଡ-୧୯ ମୁକାବିଲା ଚାଲିଛି ସେ ନେଇ ରାଜ୍ୟର ୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।
ଅବକାରୀ ପ୍ରମୁଖ ସଚିବ ଏସ୍ କେ ଲୋହାନିଙ୍କୁ ଭଦ୍ରକ, କୃଷି ବିଭାଗ ପ୍ରମୁଖ ସଚିବ ଏସ୍ କେ ବଶିଷ୍ଠଙ୍କୁ ବାଲେଶ୍ୱର ଓ ରାଜ୍ୟପାଳଙ୍କ ସଚିବ ପି କେ ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଗତ ୩ ଦିନ ମଧ୍ୟରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ଅଧିକ କୋଭିଡ ପଜିଟିଭ କେସ ବାହାରିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ୩ ବରିଷ୍ଠ ସଚିବ ଉକ୍ତ ୩ ଜିଲ୍ଲାକୁ ଗସ୍ତ କରି କୋଭିଡ-୧୯ର ସ୍ଥିତି ସମୀକ୍ଷା କରିବା ସହ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଙ୍କୁ କୋଭିଡ ପରିଚାଳନାରେ ସହାୟତା କରିବେ।
ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକରୁ ୧୧ ଜଣ, ବାଲେଶ୍ୱରରୁ ୮ଜଣ ଓ ଯାଜପୁରରୁ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ କୋଲକାତା ଫେରନ୍ତା ଥିବା ଜଣାପଡ଼ିଛି।