ବଜ୍ରପାତରେ ୩ ମୃତ, ଆଖି ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ଦେବଗଡ,କେଉଁଝର,ଏନ୍ଏନ୍ଏସ୍: ଗୋଟିଏ ପଟେ ମା’ଙ୍କ ପୂଜା ଚାଲୁଥିବାବେଳେ ଅନ୍ୟପଟେ ବଜ୍ରପାତରେ ଅକାଳରେ ୩ଜଣଙ୍କ ଜୀବନ ଚାଲିଯାଇଛି। ରିଆମାଳ ଥାନା ଅନ୍ତର୍ଗତ ସାନଡଙ୍ଗାଘାଟ ଗ୍ରାମରେ ବଜ୍ରପାତ ଘଟି ଜଣେ କ୍ରସର ମାଳିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ସାନ ଡଙ୍ଗାଘାଟ ଗ୍ରାମର ମୋହନୀ ନନ୍ଦଙ୍କ ପୁଅ ରମଣୀକାନ୍ତ ନନ୍ଦ(୪୦) ରବିବାର ମଧ୍ୟହ୍ନରେ ନିଜ ଘରୁ କ୍ରସର ଅଭିମୁଖେ ଯାଉଥିବା ସମୟରେ ହଠାତ ବର୍ଷା ଓ ଘଡଘଡି ହେବାରୁ ସେ ରାସ୍ତାକଡର ଏକ ଗଛ ମୂଳେ ଅଟକି ଯାଇଥିଲେ। ଏହି ସମୟରେ ସେଠାରେ ବଜ୍ରାଘାତ ଘଟିବାରୁ ରମଣୀ ଅଚେତ ହୋଇ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ତେଲକୋଇ ଥାନା ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମ ପଞ୍ଚାୟତ ଡିମିରିମୁଣ୍ଡା ଗ୍ରାମର ଜଳିଆ ପଧାନ ଓ ତାଙ୍କ ପତ୍ନୀ ଗୀତାଞ୍ଜଳୀ ପଧାନ(୨୮) ନିଜ ଚାଷଜମିରୁ ଫେରୁଥିବାବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଗୀତଞ୍ଜଳୀ ପଧାନଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାମୀ ଜଳିଆ ପଧାନ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହିପରି ଆନନ୍ଦପୁରରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।