କୂଅ ଖୋଳୁଥିବା ବେଳେ ୩ ମୃତ

ବର୍ଦ୍ଧମାନ,ଏଜେନ୍ସି : ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଗୋଟିଏ କୂଅ ଖୋଳା ଚାଲିଥିବା ବେଳେ ତିନିଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ପୁଲିସ ସୂଚନାନୁଯାୟୀ, ମଣ୍ଟେଶ୍ୱର ଥାନା ଅଞ୍ଚଳର ଧେନୁଆ ଗ୍ରାମରେ ଗୋଟିଏ କୂଅ ଖୋଳା କାମ ଚାଲିଥିଲା। ପ୍ରାୟ ୯ ଫୁଟ ଖୋଳିବା ପରେ ନିକଟରେ ଥିବା ଆଉ ଗୋଟିଏ କୂଅରୁ ପାଣି ଯାଇ ଉକ୍ତ କୂଅରେ ପ୍ରବେଶ କରିଥିଲା। ଫଳରେ ୪୨ ବର୍ଷୀୟ ଜାକିର ପାଣିରେ ଫସି ଯାଇଥିଲା। ତାକୁ ସାହାଯ୍ୟ କରିବାକୁ ଯାଇ ୩୯ ବର୍ଷୀୟ ଫକିର କୂଅକୁ ଡେଇଁ ଅଟକି ଯାଇଥିଲା। ଦୁହେଁ ପ୍ରାଣ ବିକଳରେ ଚିତ୍କାର କରୁଥିବାର ଶୁଣି ୩୬ ବର୍ଷୀୟ ଲିଆକତ୍ ମଧ୍ୟ କୂଅ ଭିତରକୁ ଡେଇଁ ପଡ଼ିଥିଲା। ଶୁକ୍ରବାର ସ୍ଥାନୀୟ ମସଜିଦରେ ସମୂହ ପ୍ରାର୍ଥନା ଚାଲିଥିବାରୁ କେହି ତାଙ୍କ ଆକୁଳ ଚିତ୍କାର ଶୁଣି ପାରିନଥିଲେ। ପରେ ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।