ଗୋଟିଏ ପରିବାରର ୫ଜଣ ଫିନାଇଲ ପିଇ ଆତ୍ମହତ୍ୟା ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଝାରସୁଗୁଡା,ଏନ୍ଏନ୍ଏସ୍: ସାନ ଭାଇ ଦୀପକ ବିଶ୍ୱାଳ(୨୨)ର ମୃତ୍ୟୁ ପରେ ଝାରସୁଗୁଡା ଜିଲ୍ଲା ଲହୁଣ୍ଡାବୁଡ ଅଞ୍ଚଳରେ ସୋମବାର ରାତିରେ ୩ ଭଉଣୀ, ବଡ ଭାଇ ଓ ମାଆ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ଏ ବିଷୟରେ ଖବରପାଇ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲ୍ଲା ଡାକ୍ତାରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସିତ ଅବସ୍ଥାରେ ଗତ ବୁଧବାର ସକାଳେ ବଡ ଭାଇ ଶ୍ରୀକାନ୍ତ ବିଶ୍ୱାଳ(୩୩)ଙ୍କ ମୃତ୍ୟୁ ହୋଇଥିବାବେଳେ ରାତିରେ ଭଉଣୀ ପିଙ୍କି ବିଶ୍ୱାଳ(୩୦) ଓ ଗୁରୁବାର ସକାଳେ ମା’ ପୁଷ୍ପାବତୀ ବିଶ୍ୱାଳ(୫୮)ଙ୍କ ମୃତ୍ୟୁ ହୋଇଥିବା ବିଟିଏମ ଥାନାନ ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ଦୁଇ ଭଉଣୀ ବନ୍ଦିତା(୩୫) ଏବଂ ଲିଲି(୩୮)ଙ୍କର ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି।

ତେବେ ସାନ ଭାଇର ମୃତ୍ୟୁପରେ ପରିବାରର ସମସ୍ତେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମକରି ୩ ଜଣ ପ୍ରାଣ ହରାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳାଇ ଦେଇଛି। ପରିବାରବର୍ଗ ସୁସ୍ଥ ହେଲେ ଦୀପକଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସ୍ଥାନୀୟ ଲୋକେ ଓ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କ ଶବକୁ ଝାରସୁଗୁଡା ଶବ ଗୃହରେ ରଖାଯାଇଥିଲା। ହେଲେ ତାଙ୍କ ମାଆ, ବଡ଼ ଭାଇ ଓ ଭଉଣୀ ପ୍ରାଣ ହରାଇଥିବାବେଳେ ୨ ଭଉଣୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଜି ବୁର୍ଲ୍ଲରୁ ପୁଷ୍ପାବତୀ, ପିଙ୍କି, ଶ୍ରୀକାନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ଝାରସୁଗୁଡା ଅଣାଯିବ ଏବଂ ଶବଗୃହରୁ ଦୀପକଙ୍କ ଶବ ବାହାର କରି ସେମାନଙ୍କ ସମ୍ପର୍କୀୟ, ସାଙ୍ଗସାଥୀ, ସ୍ଥାନୀୟ ଲୋକ, ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ଶବ ସତ୍କାର କରାଯିବ ବୋଲି ବିଟିଏଣ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା। ଏଥିରେ ଦୀପକ ବିଶ୍ୱାଳ ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ। ଦୀପକ ଭଲ ହୋଇଯିବା ଆସାରେ ପରିବାର ଲୋକେ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ବଡବଡ ମେଡିକାଲରେ ଚିକିତ୍ସା କରାଇ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଘରେ ଦୀପକଙ୍କ ଚିକିତ୍ସା ଜାରି ରଖିଥିଲେ। ତେବେ ଗତ ସୋମବାର ଦୀପକଙ୍କ ସ୍ୱାସ୍ଥ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ଦୀପକର ମୃତ୍ୟୁ ହୋଇଥିଲା। ଏହାପରେ ଦୀପକର ସାଙ୍ଗମାନେ ତାଙ୍କ ମୃତ ଦେହକୁ ଘରକୁ ନେଇ ଆସିଥିଲେ। ଦୀପକର ମୃତ୍ୟୁରେ ଭାଙ୍ଗିପଡି ପରିବାରର ସମସ୍ତେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ଫିନାଇଲ ପିଇଥିଲେ।