ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ଅନେକ ସ୍ଥାନରେ ଏବେ ଥଣ୍ଡା ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥିବାରୁ ଅଧିକ ଶୀତ ପଡ଼ିଛି। ଆଗାମୀ ୩ ଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଏଠାରେ ଥଣ୍ଡା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ପଞ୍ଚମ ଦିନରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲକା ବର୍ଷା ହୋଇପାରେ। ସେହିପରି ଉପକୂଳ ଓଡ଼ିଶାରେ ୨-୪ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ତାପମାତ୍ରା କମିବ ବୋଲି ଏଚଆର ବିଶ୍ୱାସ କହିଛନ୍ତି।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ମୁତାବକ ରାଜ୍ୟରେ ଗତ ୪ ତାରିଖଠାରୁ ଥଣ୍ଡା ଆରମ୍ଭ ହୋଇଛି। ଅନୁମାନ କରାଯାଉଛି ଯେ ଉପକୂଳବର୍ତ୍ତୀ ଜିଲ୍ଲାରେ ୮ ତାରିଖ କିମ୍ବା ୯ ତାରିଖ ପର୍ଯ୍ୟନ୍ତ ଆଉ ୧ ଡିଗ୍ରୀ ସେଲସିୟସ ତାପମାତ୍ରା କମିପାରେ। ମାତ୍ର ତାପରେ ୨ ଦିନ ପର୍ଯ୍ୟନ୍ତ ଏହା କ୍ରମଶଃ ବଢ଼ିବାର ସମ୍ଭାବନା ରହିଛି। ଫଳରେ ୧୧ ଓ ୧୨ ତାରିଖ ରାତିର ତାପମାତ୍ରା ବଢ଼ିବା ଯୋଗୁ ଥଣ୍ଡା କମିବ। ଅନୁମାନ କରାଯାଉଛି ଯେ ୧୨ ତାରିଖ ସୁଦ୍ଧା ପ୍ରାୟ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।
ସେହିପରି ଆଭ୍ୟନ୍ତରୀଣ ଦକ୍ଷିଣରେ ୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ଡିଗ୍ରୀ ସେଲସିୟସ ତାପମାତ୍ରା କମି, ୧୦ ତାରିଖରୁ ୧୨ ପର୍ଯ୍ୟନ୍ତ ପ୍ରାୟ ୪ ଡିଗ୍ରୀ ବଢ଼ିବ। ଆଭ୍ୟନ୍ତରୀଣ ଉତ୍ତରରେ ରାତିର ତାପମାତ୍ରା ୧୦ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ତାପରେ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଏହା ବ୍ୟତୀତ ୧୨ ତାରିଖ ପରେ ୧୫ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବା ହେତୁ ଶୀତ ରହିବ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।