ବାପାର ନିର୍ଯାତନା ସହି ନପାରି ବିଷ ପିଇଲେ ୩ ନାବାଳିକା ଝିଅ

ରାଉଲକେଲା,ଏନ୍ଏନ୍ଏସ୍: ବିରମିତ୍ରପୁର ଥାନା ଅନ୍ତର୍ଗତ ପାତାଲଖଣ୍ଡି ଗ୍ରାମରେ ବାପାଙ୍କ ଅତ୍ୟାଚାର ସହି ନପାରି ୩ ଜଣ ଝିଅ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଉକ୍ତ ଝିଅମାନଙ୍କୁ ପରିଜନମାନଙ୍କ ସହାୟତାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ସାନଝିଅର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏ ନେଇ ବୀରମିତ୍ରପୁର ଓ ରଘୁନାଥପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନାଅନୁଯାୟୀ, ବୀରମିତ୍ରପୁର ଥାନା ଅନ୍ତର୍ଗତ ପାତାଲଖଣ୍ଡି ଗ୍ରାମରେ ଠିକାଶ୍ରମିକ ରେଡ୍ଡି ସୁରେନ(୫୫) ମଦନିଶାରେ ଘରକୁ ଆସି ବଡ଼ ଝିଅ(୧୬)ଙ୍କୁ ଗାଲିଗୁଲଜ କରିଥିଲେ। ଏହାର ବିରୋଧ କରିବାରୁ ମଦ୍ୟପ ବାପା ତାଙ୍କୁ ମାଡ଼ ମାରିଥିଲେ। ମଝିଆ ଝିଅ(୧୪) ଏହାକୁ ବିରୋଧ କରିବାରୁ ବାପା ତାଙ୍କୁ ମଧ୍ୟ ମାଡ଼ ମରିଥିଲେ। ସାନଝିଅ(୧୨) ମଧ୍ୟ ବାପାକୁ ବିରୋଧ କରି ମାଡ଼ଖାଇଥିଲେ।

ତିନିଜଣ ଅପମାନ ସହି ନ ପାରି ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଓ ପରିଜନ ମାନେ ଜାଣିବାରୁ ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖୁଡ଼ୀ ନିଶା ସୁରେନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନିଶାଙ୍କ ଅନୁଯାୟୀ ପ୍ରାୟ ବର୍ଷକ ତଳେ ମଦ୍ୟପାନକୁ କେନ୍ଦ୍ରକରି ୩ ଝିଅଙ୍କ ମାଆ ଗୁଡ଼ି ସୁରେନ ସ୍ୱାମୀଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। (ସଂଗୀତା)