କଣ୍ଟେନର୍ ଗାଡି ସହ ୩ କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ଆର. ଉଦୟଗିରି ପୁଲିସକୁ ମିଳିଛି ଏକ ବଡ ସଫଳତା। ଏକ କଣ୍ଟେନର୍ ଗାଡି ସହ ପ୍ରାୟ ୧୦ କୁଇଣ୍ଟାଲରୁ ଊର୍ଦ୍ଧ ଗଞ୍ଜେଇକୁ ପୁଲିସ ଜବତ କରିଛି। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗାଡି ଡ୍ରାଇଭର ବିହାର ରାଜ୍ୟର ଧରମ୍ ବୀର୍ ସିଂକୁ ମଧ୍ୟ ଗିରଫ କରିଛି। ସୂଚନା ଅନୁସାରେ ଗଜପତି-ରାୟଗଡା ସୀମାନ୍ତ ଅଞ୍ଚଳରୁ ଏକ କଣ୍ଟେନର୍ ଗାଡିରେ ଗଞ୍ଜେଇ ବୋଝେଇ ହୋଇ ଛତିଶଗଡ ଅଭିମୂଖେ ଯାଉଥିଲା।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଆର. ଉଦୟଗିରି ପୁଲିସ ଉକ୍ତ ଗାଡିକୁ ମହେନ୍ଦ୍ରଗଡ ନଦୀ ନିକଟରେ ଅଟକାଇ ଯାଞ୍ଚ କରିଥିଲା। ଗାଡିକୁ ଜାଞ୍ଚ କରିବାରେ ସେଥିରେ ୧୦୦ଟି ପ୍ୟାକେଟ ଗଞ୍ଜେଇ ଜବତ କରିଛି ପୁଲିସ। ଏଥିସହ ଗାଡିର ଡ୍ରାଇଭର ଧରମବୀର ସିଂକୁ ପୁଲିସ ଗିରଫ କରିଛି। ତେବେ ଏହି ଗଞ୍ଜେଇ ପ୍ୟାକେଟ ଗୁଡ଼ିକ ଛତିଶଗଡ଼ ଅଞ୍ଚଳକୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା ପୁଲିସ। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଏଥିସହିତ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଗଜପତି ଜିଲ୍ଲାରେ ନୂତନ ଭାବେ ଏସପି ତପନ କୁମାର ପଟ୍ଟନାୟକ ଯୋଗଦେବା ପରେ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।