କାଠ ବୋଝେଇ ପିକଅପ୍ ଜବତ, ୩ ଜଣ କୋର୍ଟଚାଲାଣ

ଦେଓଗାଁ,ଏନ୍ଏନ୍ଏସ୍: କାଠ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ଉ କରି ଦୁଇଟି ପିକଅପ୍ ଜବତ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେଇଛନ୍ତି। ଶନିବାର ଭୋର ଦେଓଗାଁ ପୁଲିସ ଏସଆଇ ଜେ.ଜେ ସା ସିକୁଆଁ ପାଟ୍ରୋଲିଂ କରୁଥିବାବେଳେ ପିକଅପ୍ ଗାଡିକୁ ସନ୍ଦେହରେ ଅଟକାଇ ଥିଲେ। ଗାଡି ଦୁଇଟି ନ ଅଟକି ଜୋରରେ ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ପିଛା କରି ଗାଡ଼ିକୁ ଧରିଥିଲେ। ଗାଡିରେ କାଠ ଚୋରା ଚାଲାଣ ହେଉଥିବା ଜଣାପଡ଼ିବା ପରେ ଅଟକ ରଖିଥିଲେ। ପୁଲିସ ତଦନ୍ତ କଲାବେଳେ କାଠ ବୋଝେଇ ଗାଡ଼ିରେ ଲେଖାଥିବା ନମ୍ବରଟି ଫେକ୍ ଓ ଏହା ଚୋରି ଗାଡ଼ି ବୋଲି ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଏହି ଚୋରା କାଠ ନେବାକୁ ଆସୁଥିବା ଅନ୍ୟ ଏକ ବଲେରୋ ପିକଅପକୁ ଦେଓଗାଁ ବ୍ଲକର କୁନ୍ଦେଇ ମାଲ ଜଙ୍ଗଲ ଭିତରେ ଲୁଚାଇ ରଖିଥିବା ବେଳେ ଦେଓଗାଁ ପୁଲିସ ଚଢ଼ଉ କରି ଜବତ କରିଛି। ଏହି ଗାଡିଟି ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରୁ ଗତ ନଭେମ୍ବର ମାସରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା।