ଚିନି ଭାବି ୟୁରିଆ ସାର ଖାଇ ଆଇ ସହ ୩ ନାତି ନାତୁଣୀ ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଚିନି ଭାବି ୟୁରିଆ ସାର ଖାଇ ଆଇ ନାତୁଣୀ ଗୁରୁତର ହୋଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ବମ୍ପରଡା ଗ୍ରାମର ସନ୍ତୋଷ ବେହେରାଙ୍କ ଚାଷ କାର୍ଯ୍ୟରେ ସାହାଯ୍ୟ କରିବାକୁ ଗ୍ରାମରେ ରହୁଥିବା ଝିଅ କୁନ୍ତଳା ବେହେରା, ତୋପଇ ଏବଂ ଅନୁଗୁଳ ଜିଲ୍ଲାରେ ରହୁଥିବା ଝିଅ କୈକେୟୀ ବାପ ଘରକୁ ଆସିଥିଲେ।

ଆଜି ଜମିରେ ଧାନ ରୁଆ ଚାଲିଥିବାରୁ ୩ ଝିଅ କୁନ୍ତଳା, ତୋପଇ ଓ କୈକେୟୀ ମାଁ ଜମୁନାଙ୍କ ଦାୟିତ୍ୱରେ ନିଜ ଛୁଆ ମାନଙ୍କୁ ଛାଡି ଚାଷ ଜମିକୁ ଯାଇଥିଲେ। ଏହି ସମୟରେ କୁନ୍ତଳାଙ୍କ ପାଞ୍ଚ ବର୍ଷୀୟ ଶିଶୁ ପୁତ୍ର ପିଙ୍କୁ, କୈକେୟୀଙ୍କ ଦେଢ଼ ବର୍ଷୀୟା ଶିଶୁ କନ୍ୟା ସୁଷମା ଓ ତୋପଇଙ୍କ ଏକ ବର୍ଷୀୟା ଶିଶୁ କନ୍ୟା ଅରୁଣି ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ବାହାର କରି ଚୁଡାରେ ପକାଇ ଖାଇ ଦେଇଥିଲେ। ତେବେ ଏହି ଚୁଡା ପିତା ଲାଗିବାରୁ ପିଙ୍କୁ ଏକଥା ତା’ର ଆଇ ଜମୁନାଙ୍କୁ ଜଣାଇବା ସହ ବାନ୍ତି କରିଥିଲା। ପରେ ଆଇ ଜମୁନା ପିଙ୍କୁ ଖାଉଥିବା ଉକ୍ତ ଚୁଡାକୁ ଖାଇବାରୁ ସେ ମଧ୍ୟ ବାନ୍ତି କରିଥିଲେ। ଏହାପରେ ଅନ୍ୟ ୨ ଶିଶୁ କନ୍ୟା ମଧ୍ୟ ବାନ୍ତି କରିଥିଲେ।

ଏହି ସମୟରେ ବିଲରୁ କୁନ୍ତଳା, ତୋପଇ ଓ କୈକେୟୀ ଖାଇବା ପାଇଁ ଘରକୁ ଆସିବା ପରେ ଛୁଆମାନେ ଚିନି ଭାବି ୟୁରିଆ ସାର ଖାଇଦେଇଥିବା ଜାଣିବାକୁ ପାଇଥିଲେ। ଫଳରେ ଆଇ ଜମୁନା ଏବଂ ତିନି ନାତିନାତୁଣୀଙ୍କୁ ଚିକିତ୍ସା ନିମନ୍ତେ ବମ୍ପରଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେମାନେ ଏବେ ମଧ୍ୟ ସେଠାରେ ଚିକିତ୍ସାଧିନ ଥିବା ବେଳେ ବିପଦ ମୁକ୍ତ ଥିବା ଜଣାପଡିଛି l