ବୋହୂକୁ ଘୋଷାଡି ମାଡ ମାରିବା ଘଟଣାରେ ସ୍ୱାମୀ, ଶ୍ୱଶୁର ଓ ଶାଶୂ କୋର୍ଟଚାଲାଣ

ଯାଜପୁର,ଏନ୍ଏନ୍ଏସ୍: ମରିଯାଇଛି ମାନବିକତା। ପିତୃତୁଲ୍ୟ ଶ୍ୱଶୁର ଓ ମାତୃତୁଲ୍ୟ ଶାଶୂ ଗାଁ ଦାଣ୍ଡର ପାଣିଭର୍ତ୍ତି କଂକ୍ରିଟ ରାସ୍ତାରେ କନ୍ୟା ତୁଲ୍ୟ ବୋହୁକୁ ଚୁଟିକୁ ଘୋଷାଡି ମାଡ ମରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ଗ୍ରାମରେ ଏଭଳି ଅମାନବୀୟ ଘଟଣା ଘଟିଛି। ପୁଲିସ ଏକ ମାମଲା ଶ୍ୱଶୁର ନବୀନ ବେହେରା(୬୦), ଶାଶୂ ଶାନ୍ତିଲତା(୫୫) ଓ ସ୍ୱାମୀ ଗଣେଶ୍ୱର(୩୬)କୁ ଗିରଫ କରି କୋର୍ଟଚାଲାଣ କରିଛି।

ପ୍ରକାଶଯେ ଧନେଶ୍ୱର ଗ୍ରାମର ନବୀନ ବେହେରାଙ୍କ ପୁଅ ଗଣେଶ୍ୱର କୁଆଖିଆ ଥାନା ଅନ୍ତର୍ଗତ ଯୋକଡିଆ ଭଣ୍ଡାରୀପଡା ଗ୍ରାମର ମୀନା ବେହେରାଙ୍କୁ ୨୦୧୬ ମସିହାରେ ବୈଦିକ ରୀତିରେ ବିବାହ କରିଥିଲା। ୨୦୧୭ ମସିହାରୁ ଅଧିକ ଯୌତୁକ ଦାବିରେ ମୀନାକୁ ପରିବାର ପକ୍ଷରୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା।

ଫଳରେ ବାରମ୍ବାର ମୀନାକୁ ନିର୍ଯାତନା ଦିଆଯିବା ସହ ବୁଧବାର ଗଣେଶ୍ୱର ମାଡ ମାରିବା ସହ ଘରେ ପୁରାଇ ଦେଇ ବାହାରକୁ ଚାଲିଯାଇଥିଲେ। ନିଜ ଜୀବନ ଅସୁରକ୍ଷିତ ଥିବାରୁ ମୀନା ଘରୁ ବାହାରି ଆସିବାରୁ ଶ୍ୱଶୁର ନବୀନ ଓ ଶାଶୁ ଶାନ୍ତିଲତା ଗାଁ ଦାଣ୍ଡରେ ଚୁଟି ଘୋଷାଡି ବାଡିରେ ବାଡେଇ ଚାଲିଥିଲେ।

ପାର୍ଣିଭର୍ତ୍ତି କଂକ୍ରିଟ ଗାଁ ରାସ୍ତାରେ ମାଡ ମାରୁଥିବା ବେଳେ ଏହାକୁ କେହି ରେକଡିଙ୍ଗ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ପୁଲିସ ଘଟଣାସ୍ଥଳେ ପହଞ୍ଚିଥିଲା। ଶାନ୍ତିର ଅଭିଯୋଗ ମୁତାବକ ମାମଲା ରୁଜୁ କରି ସ୍ୱାମୀ, ଶାଶୂ, ଶଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି।