ପିକ୍ଅପ୍ ଭ୍ୟାନ ଚୋରି ଘଟଣାରେ ତିନି ଅଭିଯକ୍ତ ଗିରଫ

ବରଗଡ଼/ସୋହେଲା,ଏନ୍ଏନ୍ଏସ୍: ଗତ ୮ ତାରିଖ ଦିନ ସକାଳେ ବିଜେପୁର ଥାନା ଅନ୍ତର୍ଗତ ଏମ. ଗଣ୍ଡପାଲି ଗ୍ରାମର ରଙ୍କମଣି ବଞ୍ଛୋରଙ୍କ ପୁଅ ଘନଶ୍ୟାମ ବଞ୍ଛୋରଙ୍କ ପିକ୍ଅପ୍ ଭ୍ୟାନ ଚୋରି ହୋଇଥିଲା। ଏନେଇ ସେ ସୋହେଲା ପୁଲିସ ଥାନାରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ଅନୁସାରେ ତାଙ୍କର ପିକ୍ଅପ୍ ଭ୍ୟାନ ନମ୍ୱର ଓଡ଼ି-୧୭ପି-୬୫୪୧କୁ ତିନି ଜଣ ଦୁର୍ବୃତ୍ତ ଗତ ୮ ତାରିଖ ରାତି ପ୍ରାୟ ୨ଟା ୩୦ରେ ତାଙ୍କଠାରୁ ଛଡେଇ ନେଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ସୋହେଲା ପୁଲିସ ଥାନାରେ କେଶ ନମ୍ୱର ୯୭ ତା ୦୯/୦୬/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପରେ ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ସୋହେଲା ଥାନା ଅଧିକାରୀ ହାଡିବନ୍ଧୁ ଗଡତିଆ, ବିଜେପୁର ଥାନା ଅଧିକାରୀ ସନୟ ନାୟକ, ପାଇକମାଳ ଥାନା ଅଧିକାରୀ ପି. ମନବୋଧ, ପଦ୍ମପୁର ଥାନାର ସବ ଇନ୍ସପେକ୍ଟର ଏସ. ପାତ୍ରଙ୍କୁ ନେଇ ଏକ ମିଳିତ ଦଳ ଏହାର ତଦନ୍ତ ଆରମ୍ଭ କରି ଆଜି ମାତ୍ର ତିନି ଦିନରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହେବା ସହ ଚୋରି ପିକ୍ଅପ୍ ଭ୍ୟାନକୁ ମଧ୍ୟ ଜବତ କରିଛନ୍ତି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ବିଧାନ ଆଇନର ଦଫା-୩୯୪/୩୬୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।