ହନୁମାନ ପଇସା କାରବାର ଅଭିଯୋଗରେ ୩ ଗିରଫ, ୨ ହନୁମାନ ପଇସା ସମେତ ଲକ୍ଷାଧିକ ଟଙ୍କା ଜବତ

ଦେବଗଡ଼,ଏନ୍ଏନ୍ଏସ୍: ହନୁମାନ ପଇସାର ଅବାଧ କାରବାର ଅଭିଯୋଗରେ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ହନୁମାନ ପଇସା, ୩ଟି ମୋବାଇଲ ଫୋନ ଓ ନଗଦ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଜଣାପଡିଛି। ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜ କିଶୋର ପାଇକରାୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ, ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

ଏସପି ଶ୍ରୀ ପାଇକରାୟଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବେଆଇନ ହନୁମାନ ପଇସାର କାରବାର ଚାଲୁଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସଜାଗ ରହିଥିଲେ। ସ୍ପେଶାଲ ସ୍କ୍ୱାର୍ଡ ନେତୃତ୍ୱ ନେଉଥିବା ଦେବଗଡ଼ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଏହି ଚାଲାଣକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ହନୁମାନ ପଇସା ବେପାର କରୁଥିବା ସମ୍ବଲପୁର ଜିଲ୍ଲା ଜୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗ୍ରାମର ନରହରି ରାଉତିଆ(୪୯), ରେଙ୍ଗାଳକାନୀ ଗ୍ରାମର ପ୍ୟାରୀମୋହନ ପ୍ରଧାନ(୪୩) ଓ ରିଆମାଳ ଥାନା ଅନ୍ତର୍ଗତ ଅର୍ଗାନ ଗ୍ରାମର ଉପେନ୍ଦ୍ର ମାଝୀ (୫୮)ଙ୍କ ସହ ଯୋଗାଯୋଗ କରି ଗ୍ରାହକ ବେଶରେ ଗୋହିରା ଡ୍ୟାମ ନିକଟ ରାସ୍ତାରେ ଛକି ରହିଥିଲା ସ୍ପେଶାଲ ସ୍କ୍ୱାର୍ଡ।

ଯୋଜନା ଅନୁଯାୟୀ ଉକ୍ତ ବେପାରୀ ଉକ୍ତ ସ୍ଥାନରେ ପହଞ୍ଚି ହନୁମାନ ପଇସା ବାହାର କରି ଏହାର ବିଶେଷତ୍ୱକୁ ପରୀକ୍ଷା କରି ଦେଖାଇବା ସହ ଏଗୁଡିକୁ ଟଙ୍କା ବଦଳରେ ହସ୍ତାନ୍ତର କରିବା ବେଳେ ସାଦା ପୋଷାକରେ ଥିବା ଏସଡିପିଓ ଶ୍ରୀ ମହାପାତ୍ରଙ୍କ ସମେତ ସ୍ପେଶାଲ ସ୍କ୍ୱାର୍ଡର ସଦସ୍ୟ ମାନେ ଚାଲାଣକାରୀ ମାନଙ୍କୁ କାବୁ କରିଥିଲେ। ସେଠାରୁ ସେମାନଙ୍କୁ ଦେବଗଡ଼ ଥାନାକୁ ଆଣିଥିଲେ। ସେଠାରେ ପଚରାଉଚରା ପରେ ସେମାନଙ୍କ ଠାରୁ ଦୁଇଟି ହନୁମାନ ପଇସା, ନଗଦ ଏକ ଲକ୍ଷ ଟଙ୍କା, ୨ଟି ବାଇକ ଓ ମୋବାଇଲ ଫୋନ ଜବତ କରିବା ସହ ଆଣ୍ଟିକ୍ୟୁଟି ଏବଂ କଳା ସଂରକ୍ଷଣ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।