କରୋନା ସଂକ୍ରମିତ ଯୁବକଙ୍କ ଫଟୋ ଭାଇରାଲ କରିବା ଘଟଣାରେ ୩ ଗିରଫ

ଭଦ୍ରକ,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମିତ ଯୁବକଙ୍କ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଦିନ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲା। ଆକ୍ରାନ୍ତ ବ୍ୟକ୍ତି ଜଣକ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ସଂପୃକ୍ତ ଯୁବକ କିଏ। ଏ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ସୋସିଆଲ୍‌ ମିଡିଆରେ କେତେକ ଫଟୋ ଭାଇରାଲ ହୋଇଥିଲା।

ଏହି ବ୍ୟକ୍ତିମାନେ କରୋନା ଆକ୍ରାନ୍ତ ବୋଲି ପ୍ରଚାର କରାଯାଇଥିଲା। ନିୟମାନୁଯାୟୀ କୌଣସି କରୋନା ସଂକ୍ରମିତଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ଓ ଫଟୋ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ। ଏହି ଆଧାରରେ ବୁଧବାର ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ଏହା ବ୍ୟତୀତ ଲକଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। କରୋନାକୁ ନେଇ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ୍‌ ସୂଚନା ଦେଇଛନ୍ତି।