ଶିଖ ଯୁବକଙ୍କୁ ଆକ୍ରମଣ ଘଟଣା: ୩ ଅଭିଯୁକ୍ତଙ୍କୁ ଜାମିନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଶିଖ ସମ୍ପ୍ରଦାୟ ଯୁବକ ପରବିନ୍ଦର ପାଲସିଂହଙ୍କୁ ପୁଲିସ ଆଗରେ ମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଝାରପଡ଼ାର ଶିଖର ଜେନାଙ୍କ ପୁଅ ଦୀପକ ଜେନାକୁ ପୁଲିସ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ ପୁଲିସ ଲକ୍ଷ୍ମୀସାଗର ଷ୍ଟେଜ-୨ ଅଞ୍ଚଳର ଶଙ୍କର ରାଉତ ଶୁକ ଓ ଝାରପଡ଼ାର ଦୀପକ ମହାନ୍ତିକୁ ଗିରଫ କରିଥିଲା। ଏମାନଙ୍କ ବିରୋଧରେ ପୁଲିସ ଦଫା ୨୯୪, ୩୪୧, ୩୨୩, ୩୩୬, ୩୩୭, ୩୭୯, ୫୦୬, ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ରାଜଧାନୀରେ ଅପରାଧୀମାନେ ଏବେ ପୂରା ମାତ୍ରାରେ ସକ୍ରିୟ ହୋଇଉଠିଛନ୍ତି। ପୁଲିସକୁ ମଧ୍ୟ ଖାତିର କରୁନାହାନ୍ତି। ପୁଲିସ ଉପସ୍ଥିତିରେ ଅପରାଧ ଘଟାଇ ପତିଆରା ଜାହିର କରୁଛନ୍ତି। ମଙ୍ଗଳବାର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ ସମ୍ପ୍ରଦାୟର ଯୁବକ ତଥା ଭଗବାନ ଟାୱାର ଆପାର୍ଟମେଣ୍ଟର ଟ୍ରେଜରର ପରବିନ୍ଦର ପାଲସିଂହଙ୍କୁ ଯେଉଁ ଭଳି ପୁଲିସ ଆଗରେ ଆକ୍ରମଣ କରାଗଲା, ଏହା ତାହାର ଏକ ଜ୍ୱଳନ୍ତ ଉଦାହରଣ। ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ସହ ୩ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହିତ ଘଟଣାର ୩ଦିନ ଭିତରେ କୋର୍ଟରେ ଚାର୍ଜସିଟ ଦାଖଲ କରାଯିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସେହିପରି ଶିଖ ଯୁବକଙ୍କୁ ଆକ୍ରମଣ ଘଟଣାକୁ ପୁଲିସ ଗମ୍ଭୀରତାର ସହ ନେଇଛି। ତ୍ୱରିତ ନ୍ୟାୟ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଘଟଣାସ୍ଥଳରେ ପହଞ୍ଚିଥିବା ପିସିଆର ଭ୍ୟାନ କର୍ମଚାରୀ ନିରବଦ୍ରଷ୍ଟା ସାଜିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ପିସିଆର ଇନଚାର୍ଜଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ମଙ୍ଗଳବାର ତାଙ୍କୁ ନିଲମ୍ବିତ କରାଯାଇଥିଲା ବୋଲି କମିଶନର କହିଛନ୍ତି।

ଅନ୍ୟପକ୍ଷରେ ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର ପାଲସିଂହଙ୍କ ଘରକୁ ଯାଇ ଡିସିପି ଅନୁପ ସାହୁ ତାଙ୍କୁ ସାନ୍ତ୍ୱନା ଦେବା ସହ ନ୍ୟାୟ ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଘଟଣାଦିନ କ’ଣ ଓ କେମିତି ଘଟିଲା, ତାହାର ଅନୁଧ୍ୟାନ କରିଥିଲେ। ଏହି ସମୟରେ ଆପାର୍ଟମେଣ୍ଟର କିଛି ଯୁବକ ଘଟଣା ବେଳର ଭିଡିଓ ଡିସିପିଙ୍କୁ ଦେଖାଇଥିଲେ। ତେବେ ଏହି ଆକ୍ରମଣ ପଛରେ କେବଳ ଗାଡ଼ି ପାର୍କିଂ ବିବାଦ ନା ଆଉ କିଛି କାରଣ ଅଛି, ପୁଲିସ ତାର ତଦନ୍ତ କରୁଛି।

ପରବିନ୍ଦର ପାଲସିଂହ ଆକ୍ରମଣ ଘଟଣାକୁ ନେଇ ଏବେ ରାଜନୀତି ଆରମ୍ଭ ହେଲାଣି। ବିଜେପି ଏହାକୁ ନିନ୍ଦା କରିବା ସହ ଘଟଣା ପଛରେ ଶାସକଦଳର କର୍ମୀଙ୍କ ସମ୍ପୃକ୍ତ ଥିବା କହିଥିବା ବେଳେ ଅକାଳି ଦଳ ମଙ୍ଗମଠ ଉଚ୍ଛେଦ ବିବାଦରୁ ଏଭଳି ଘଟିଥିବା ଅଭିଯୋଗ କରିଛି। ଅକାଳି ଦଳର ଜାତୀୟ ମୁଖପାତ୍ର ମନଜିନ୍ଦର ସିଂ ବିର୍ସା ଟ୍ୱିଟ କରି କହିଛନ୍ତି, ଭୁବନେଶ୍ୱରରେ ଜଣେ ଶିଖ ଯୁବକଙ୍କୁ ଆକ୍ରମଣ ହୋଇଛି। ମଙ୍ଗମଠ ଭଙ୍ଗାକୁ ବିରୋଧ କରିଥିବାରୁ ଉକ୍ତ ଘଟଣାକୁ ନେଇ ତାଙ୍କୁ କେହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦେ ଦାବି କରିଥିଲେ।

ଏହି ଆକ୍ରମଣ ପରେ ପରବିନ୍ଦର ପାଲସିଂହ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସେ କହିଛନ୍ତି, ପୁଲିସ ଉପରେ ମୋର ଭରସା ନାହିଁ, ମୁଁ ଗୋଟେ ସର୍ଦ୍ଦାର, ମୋ ଜାନ ଚାଲି ଯାଇଥାନ୍ତା ପଛେ ମୋ ଇଜ୍ଜତ ହେଉଛି ପଗଡ଼ି। ସେ ଅସଭ୍ୟମାନେ ମୋ ଜାତିର ସମ୍ମାନକୁ ଭିଡ଼ି ଓଟାରି ପକାଇଥିଲେ। ମୋତେ ଭୟଙ୍କର ଭାବେ ପିଟିଥିଲେ। ଅତି କୁତ୍ସିତ ଭାଷାରେ ଗାଳିଗୁଲଜ କରିଥିଲେ। ଇଟା-ପଥର ମାଡ଼ କରିଥିଲେ, ମୋ ଆଖିକୁ ମାରି ଫଟାଇ ଦେଇଛନ୍ତି। ଏସବୁ ଘଟଣାକୁ ପୁଲିସ ଜଳଜଳ କରି ଦେଖୁଥିଲା, ହେଲେ କିଛି ସହାୟତା ଦେଇନଥିଲା। ପଗଡ଼ି ମୋର ଇଜ୍ଜତ, ଆମ ଧର୍ମର ପ୍ରତୀକ। ତାକୁ ତଳେ ଚକଟି ଅସମ୍ମାନ କରାଗଲା, ମୋର ଆଉ କ’ଣ ଇଜ୍ଜତ ରହିଲା? ବଞ୍ଚିବାକୁ ମୋର ଇଚ୍ଛା ନାହିଁ ବୋଲି କୋହଭରା କଣ୍ଠରେ କହିଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ କି ପ୍ରକାର ଦଣ୍ଡ ମିଳୁଛି ଓ ପୁଲିସ କୋର୍ଟରେ କେଉଁ ଭଳି ତଥ୍ୟପ୍ରମାଣ ଦାଖଲ କରୁଛି, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।