ଗଞ୍ଜେଇ ମାମଲାରେ ୩ ଅଭିଯୁକ୍ତ ଖଲାସ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଗଞ୍ଜେଇ ଚୋରା ଚାଲାଣ ମାମଲାର ୩ ଜଣ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ୨୦୨୦ ମେ’ ୫ ତାରିଖରେ ମଇଦଲପୁର ତନଖି ଫାଟକରେ ଉତ୍ତରପ୍ରଦେଶ ନମ୍ୱର ଥିବା ଏକ ଟ୍ରକରୁ ୬ କୁଇଣ୍ଟାଲ ୧୫ କେଜି ଗଞ୍ଜେଇକୁ ଜବତ ହୋଇଥିଲା । ଏହାସହ ଗାଡ଼ିରେ ଥିବା ସତେନ୍ଦ୍ର ଶର୍ମା, ଦିନେଶ କୁମାର ଶର୍ମା ଓ ମନୋଜ ଯାଦବଙ୍କୁ ଗିରଫ କରାଯାଇଥିଲା । ପାପଡ଼ାହାଣ୍ଡି ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏଥିରେ ସର୍ବମୋଟ ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ପ୍ରମାଣ ଅଭାବରୁ ଅତିରିକ୍ତ ଜିଲ୍ଲା ଜଜ ଶିବ ପ୍ରସାଦ ମିଶ୍ର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହି ମାମଲାକୁ ଆଇନଜୀବୀ ହରି ନାରାୟଣ ବେହେରା, ଆଇନଜୀବୀ ସିମାଞ୍ଚଳ ପାଢ଼ୀ ଓ ଆଇନଜୀବୀ କିଶୋର ପଟ୍ଟନାୟକ ପରିଚାଳନା କରିଥିଲେ ।