ଆସନ୍ତାକାଲି ଦ୍ୱିତୀୟ ଦିନିକିଆ: ଡେବ୍ୟୁ କରିପାରନ୍ତି ସୂର୍ଯ୍ୟ

ପୁଣେ, ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଉଭୟ ଦଳର ଏକାଧିକ ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ଘରୋଇ ଭାରତର ପଲ୍ଲା ସାମାନ୍ୟ ଭାରୀ ରହିଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ୍ ଓ ସାମ୍ ବିଲିଙ୍ଗସ୍ ସିରିଜରୁ ବାଦ ପଡିଥିବା ବେଳେ ଭାରତୀୟ ଓପନର ରୋହିତ ଶର୍ମା ଦ୍ୱିତୀୟ ଦିନିକିଆରୁ ବାଦ ପଡିଥିବା ବେଳେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ସିରିଜରୁ ବାଦ ପଡିଛନ୍ତି। ଶ୍ରେୟସଙ୍କ ଅନୁପସ୍ଥିତିରେ ଅନ୍ୟତମ ମୁମ୍ବାଇକାର ସୂର୍ଯ୍ୟ କୁମାର ଯାଦବଙ୍କୁ ପଦାର୍ପଣର ସୁଯୋଗ ମିଳିପାରେ। ଟି-୨୦ ସିରିଜରେ ଧମାକାଦାର ପ୍ରଦର୍ଶନ ପରେ ସୂର୍ଯ୍ୟଙ୍କ ଠାରୁ ଆଉ ଏକ ବଡ ଇନିଂସ ଆଶା କରୁଛନ୍ତି ଫ୍ୟାନ୍। ତେବେ ଋଷଭ ପନ୍ତଙ୍କୁ ମଧ୍ୟ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଓପନିଂରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଏ ଓପନ୍ କରିବ ଏହା ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋହିତଙ୍କ ସ୍ଥାନରେ ଶୁବମାନ ଗିଲଙ୍କୁ ଖେଳାଇବା ଅଥବା ରାହୁଲଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳାଇବା ତାହା ସ୍ପଷ୍ଟ ହୋଇନାହିଁ। ଶିଖର ଧୱନ୍ ୯୮ ରନର ଇନିଂସ ଖେଳି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି। ତେବେ ଘରୋଇ ପରିବେଶରୁ ଫାଇଦା ନେଇ ସିରିଜ୍ ଜିତିବାକୁ ଭାରତ ଉଦ୍ୟମ କରିବ।