ଦ୍ୱିତୀୟ ଦିନରେ ଖଣି ଶ୍ରମିକ ସଂଘର ଧାରଣା : ୧୧ ଖଣି ସମ୍ପୂର୍ଣ୍ଣ ବନ୍ଦ 

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ବୈଦେଶିକ ପୁଞ୍ଜି ନିବେଶକୁ ବିରୋଧକରି ଝାରସୁଗୁଡା ଜିଲ୍ଲାର (ଭାରତୀୟ ମଜଦୂର ସଂଘ) ବିଏମଏସ ଖଣି ଶ୍ରମିକ ମଜଦୁର ସଂଘର ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଏମଏସ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଆଜି ଏଆଇଟିୟୁସି, ଆଇଏନଟିଭିସି, ସିଆଇଟିୟୁ, ଏଚଏମଏସ ଆଦି ସଂଘ ଧାରଣାରେ ସାମିଲ ହୋଇଛନ୍ତି। ଏହି ବନ୍ଦ ଯୋଗୁଁ ଝାରସୁଗୁଡ଼ାର ଇବଭ୍ୟାଲି, ଓରିଏଣ୍ଟ ଓ ଲଖନପୁର ପରି ୧୧ଟି ଖଣି ସମ୍ପୂର୍ଣ୍ଣ ବନ୍ଦ ରହିଛି। କୋଇଲା ଉତ୍ପାଦନ ବନ୍ଦ କରାଯିବା ସହ ପରିବହନ ମଧ୍ୟ ବନ୍ଦ ହୋଇଯାଇଛି। ବିଶେଷକରି ଲଖନପୁର ଖଣିକ୍ଷେତ୍ରରେ ପ୍ରତିଦିନ ହେଉଥିବା ୬୦ହଜାରଟନ କୋଇଲା ଉତ୍ପାଦନ ଠପ ହୋଇପଡ଼ିଛି। ଗୋଟିଏ ଦିନ କାର୍ଯ୍ୟବନ୍ଦ ହେଲେ ଲଖନପୁର ଖଣିର ୭କୋଟି ୨୦ଲକ୍ଷ ଟଙ୍କା କ୍ଷତି ହୋଇଛି ବୋଲି  ଜିଏମ ଏକେସିଂ କହିଛନ୍ତି। ତେବେ ଆଜି ୧୧ଟି ଖଣିକ୍ଷେତ୍ର ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଶହଶହ କୋଟି ଟଙ୍କାର କ୍ଷତିହୋଇଥିବା  ଆକଳନ କରାଯାଉଛି। ଆସନ୍ତା ୨୭ ଯାଏ ବନ୍ଦ ପାଳନ କରାଯାଉଥିବାରୁ କ୍ଷତି ବଢ଼ିବାର ଆଶଙ୍କା ରହିଛି।

     ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଇଲା କମ୍ପାନୀକୁ ସରକାର ବହୁଦେଶୀୟ କମ୍ପାନୀକୁ ଟେକି ଦେବାର ନିଷ୍ପତ୍ତି ନେଇଛନ୍ତି। ଏହା ଦେଶ ପାଇଁ ବିପଦ ସୃଷ୍ଟି କରିବ। ବହୁଦେଶୀୟ କମ୍ପାନୀମାନେ ପୁଞ୍ଜିନିବେଶ କରିବାସହ ଏଥିରେ ମାଲିକାନା ଜାହିର କରିବେ। ଫଳରେ ଦେଶରେ କୋଇଲା ଦର ବୃଦ୍ଧି ପାଇବ।

କୋଇଲା ଦରରେ ବୃଦ୍ଧିହେଲେ ବିଦ୍ୟୁତ ଦର ବୃଦ୍ଧି ପାଇବାସହ ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ। ସରକାରଙ୍କର ଏହି ଶ୍ରମିକ ମାରଣ ନିତୀ ଓ  ଏହି ସମସ୍ୟାଗୁଡିକରୁ ଦେଶକୁ  ବଞ୍ଚାଇବା ପାଇଁ ଏହି ୫ ଦିନିଆ ବନ୍ଦ ପାଳନ କରାଯାଉଛି ବୋଲି ବିଏମଏସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଲଖନପୁର ଖଣିକ୍ଷେତ୍ର ଜିଏମ ଏକେ ସିଂ କହିଛନ୍ତି ଯେ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ  ଆନ୍ଦୋଳନକାରୀଙ୍କ ସହ ସାକ୍ଷାତ କରି ଧାରଣାରୁ ଓହରିବା ପାଇଁ ଅନୁରୋଧ କରାଯାଇଛି। ଲଖନପୁର  ଖଣିକ୍ଷେତ୍ର ଉପରେ ଓପିଜିସି ସହ ଦେଶର ବିଭିନ୍ନ କମ୍ପାନୀ ନିର୍ଭର କରୁଥିବାରୁ ଆନ୍ଦୋଳନ ହେଲେ ଦେଶର ବହୁ କ୍ଷତି ହେବାସହ ଓପିଜିସିରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।