ଗିନିଜ୍ ୱାର୍ଲ୍ଡ ରେକର୍ଡ କଲା ଭାରତ, ଦେଶରେ ଅଛନ୍ତି ୨୯୬୭ ବାଘ

ନୂଆଦିଲ୍ଲୀ,ଏଜେନ୍ସି: ୨୦୧୮ ବର୍ଷରେ ହୋଇଥିବା ଭାରତର ବ୍ୟାଘ୍ର ଗଣନା ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି। ଦେଶରେ ବ୍ୟାଘ୍ର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ଗଣନାରୁ ଜଣାପଡିଛି। ଏହି ଗଣନା ସମୟରେ ବ୍ୟାଘ୍ରମାନଙ୍କର ୭୬,୦୦୦ ଏବଂ କ୍ୱିଚିତ୍ ଦୃଷ୍ଟିରେ ପଡୁଥିବା ବନ୍ୟମାର୍ଜାର ଓ କଲରାପତରିଆଙ୍କର ୫୧,୦୦୦ ରୁ ଅଧିକ ଫଟୋଚିତ୍ର ଉତ୍ତୋଳନ କରାଯାଇଛି। ଏହି ତଥ୍ୟାବଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକୃତିପ୍ରେମୀଙ୍କ ପାଇଁ ଆନନ୍ଦର ବିଷୟ ଯେ, ୨୦୧୪ରେ ୨,୨୨୬ ବାଘ ଥିଲା ବେଳେ ୨୦୧୮ରେ ଏହାର ସଂଖ୍ୟା ୨,୯୬୭କୁ ବୃଦ୍ଧିପାଇଛି। ଏହା ଫଳରେ ବିଶ୍ୱରେ ବନ୍ୟମାର୍ଜାରଙ୍କ ପାଇଁ ଭାରତ ସର୍ବବୃହତ୍ ଏବଂ ସବୁଠୁ ନିରାପଦ ବାସସ୍ଥଳୀ ହୋଇପାରିଛି। ବ୍ୟାଘ୍ରମାନଙ୍କର ଫଟୋ ପାଇବାକୁ ବନ୍ୟ ଅଧିକାରୀ ଓ ସଂରକ୍ଷକମାନେ ୧୩୯ଟି ଅଧ୍ୟୟନ ସ୍ଥଳର ୨୬,୭୬୦ ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ବସାଇଥିଲେ। ସେଥିରୁ ପ୍ରାୟ ୩୫ ନିୟୁତ ଫଟୋ ମିଳିଛି। ବ୍ୟାଘ୍ରଙ୍କର ୭୬,୫୨୩ ଓ କଲରାପତରିଆ ବାଘର ୫୧,୩୩୭ ଫଟୋ ଉତ୍ତୋଳନ କରାଯାଇଛି। ଏହି ସଂଖ୍ୟା ୨୦୧୪ରେ କରାଯାଇଥିବା ବ୍ୟାଘ୍ର ଗଣନାର ଫଟୋ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ।