ଆଜି ରାଜ୍ୟରେ ପୁଣି ସର୍ବାଧିକ ୨,୯୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣକୁ ଲକ୍ଷ କରି ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାରରୁ ଅଧିକ ଟେଷ୍ଟ କରାଯାଇଛି। ସେଥିରେ ୩୦ ଜିଲ୍ଲାରୁ ୨,୯୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୮୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧,୧୦୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ରାଜ୍ୟରେ ଆଜି ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୩୧୮, ଯାଜପୁରରୁ ୨୦୦, କଟକରୁ ୧୮୯, ସୁନ୍ଦରଗଡ଼ରୁ ୧୬୧, ପୁରୀରୁ ୧୪୪, ନୟାଗଡ଼ରୁ ୧୪୨, ମୟୂରଭଞ୍ଜରୁ ୧୩୬, ବାଲେଶ୍ୱରରୁ ୧୨୭, ରାୟଗଡ଼ାରୁ ୧୧୬, ଭଦ୍ରକରୁ ୧୦୭, କୋରାପୁଟରୁ ୯୫, ମାଲକାନଗିରିରୁ ୯୩, ଗଜପତିରୁ ୭୧, କେନ୍ଦ୍ରାପଡ଼ାରୁ ୬୦, କନ୍ଧମାଳରୁ ୫୦, ବରଗଡ଼ରୁ ୪୮, ଜଗତସିଂହପୁରରୁ ୪୭, ଢେଙ୍କାନାଳରୁ ୪୦, ସୋନପୁରରୁ ୩୮, ସମ୍ବଲପୁର ଓ ଅନୁଗୁଳରୁ ୩୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡି ଓ ବଲାଙ୍ଗିରରୁ ୨୭ ଜଣ ଲେଖାଏଁ, ନବରଙ୍ଗପୁର ଓ କେନ୍ଦୁଝରରୁ ୨୬ ଜଣ ଲେଖାଏଁ, ନୂଆପଡ଼ାରୁ ୨୦, ଦେବଗଡ଼ରୁ ୧୬ ଓ ବୌଦ୍ଧରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ ଟେଷ୍ଟିଂ ସଂଖ୍ୟା ୯,୦୮,୫୦୮ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦ରେ ପହଞ୍ଚିଛି। ସେଥିମଧ୍ୟରୁ ୪୦,୭୨୬ ଜଣ ସୁସ୍ଥ ହୋଇଥିବା ବେଳେ ୧୮,୯୨୮ ଜଣ ସକ୍ରିୟ ଅଛନ୍ତି।

ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟୁଇଟ ଅନୁସାରେ ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଭୁବନେଶ୍ୱରରୁ ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୫୫ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମର ଜଣେ ୫୫ ବର୍ଷୀୟ ପୁରୁଷ ଓ ଜଣେ ୬୭ ବର୍ଷୀୟ ବୃଦ୍ଧ, ଭଦ୍ରକର ଜଣେ ୭୫ ବର୍ଷୀୟ ବୃଦ୍ଧ, ବଲାଙ୍ଗିରର ଜଣେ ୬୨ ବର୍ଷୀୟ ବୃଦ୍ଧ, କଟକର ଜଣେ ୬୦ ବର୍ଷୀୟ ବୃଦ୍ଧ, ଯାଜପୁରର ଜଣେ ୬୦ ବର୍ଷୀୟ ବୃଦ୍ଧ, କନ୍ଧମାଳର ଜଣେ ୫୯ ବର୍ଷୀୟ ପୁରୁଷ ଓ ସୋନପୁରର ଜଣେ ୪୫ ବର୍ଷୀୟ ପୁରୁଷର କରୋନାରେ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ କେବଳ ଗଞ୍ଜାମରୁ ୧୫୪ ମୃତକ ରହିଛନ୍ତି।