୩୦ ଜିଲ୍ଲାରୁ ୨,୮୫୪ କରୋନା ପଜିଟିଭ ଚିହ୍ନଟ: ମୃତ୍ୟୁସଂଖ୍ୟା ହଜାରେ ଟପିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୨,୮୫୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୫୯ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୧୯୫ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୯ ହଜାର ୬୯୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୩, କଟକରୁ ୨୪୪, ସୁନ୍ଦରଗଡ଼ରୁ ୧୪୩, ଅନୁଗୁଳରୁ ୧୩୧, ବାଲେଶ୍ୱରରୁ ୧୧୬, ମୟୁରଭଞ୍ଜରୁ ୧୨୭, ପୁରୀରୁ ୧୧୪, କଳାହାଣ୍ଡି ଓ ସମ୍ବଲପୁରରୁ ୧୦୫ ଲେଖାଏଁ, ବଲାଙ୍ଗିର ଜିଲ୍ଲାରୁ ୯୭ ଜଣ ରହିଛନ୍ତି।

ଅନ୍ୟପଟେ ଆଜି କରୋନା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫, କଟକରୁ ୨, ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁରରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି। ଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୭ଲକ୍ଷ ୧୦ ହଜାର ୫୯୨ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୪୯ ହଜାର ୬୯୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୨ଲକ୍ଷ ୨୦ ହଜାର ୩୮୮ଜଣ ସୁସ୍ଥ ହୋଇଛନ୍ତି, ୧୦୦୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୮ ହଜାର ୨୪୬ ଜଣ ଚିକିତ୍ସିତ ହେଉଛନ୍ତି।