ନୂଆଦିଲ୍ଲୀ : ଚୀନରେ ଆତଙ୍କ ଖେଳାଇଥିବା ଘାତକ ‘କରୋନା’ ଭୂତାଣୁର ପ୍ରକୋପ ଏବେ ଭାରତରେ ଦେଖିବାକୁ ମିଳିଛି । ୩ ଦିନ ଭିତରେ ଭାରତରେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ଏହି ପର୍ୟ୍ୟଟକମାନେ ଇଟାଲୀର। ଏମାନେ ଭାରତ ଆସିବା ପରେ ଯାଞ୍ଚ ସମୟରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଗତ ମାସରେ କେରଳରେ ୩ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ସମସ୍ତେ ଚୀନରୁ ଫେରିଥିଲେ । ଏହା ପରେ ବିମାନବନ୍ଦର, ରେଳ ଷ୍ଟେଶନ ଏବଂ ବିଭିନ୍ନ ବନ୍ଦରରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା।
କିନ୍ତୁ ପରବର୍ତ୍ତୀ ସମୟରେ କୋହଳ ଯୋଗୁ ଏବେ ପୁଣି ଥରେ ପୂର୍ବ ସ୍ଥିତି ଉପୁଜିଛି । ଏମ୍ସରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା, ଯାହା କରୋନା ପଜିଟିଭ ଆସିଛି । ପରେ ସମସ୍ତଙ୍କୁ ଛାବଲାସ୍ଥିତ ଆଇଟିବିପି ସେଣ୍ଟରରେ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି । ଏହାବ୍ୟତୀତ ୫ ଭାରତୀୟ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀ-ଏନସିଆରରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଛି ।
ଉକ୍ତ ରୋଗୀଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ ତେଲେଙ୍ଗାନାରେ ମଧ୍ୟ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ମହାରାଷ୍ଟ୍ରରେ ମଧ୍ୟ ୨ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି । କରୋନା ମୁକାବିଲ ପାଇଁ କେନ୍ଦ୍ର ସରକାର ୧୩ ହଜାର ପରୀକ୍ଷାଗାର କରିଛନ୍ତି । ଏକା ସମୟରେ ୨୫ ହଜାର ନମୁନା ପରୀକ୍ଷା କରାଯାଇପାରିବ । ଦିଲ୍ଲୀର ୨୫ଟି ସରକାର ହସ୍ପିଟାଲରେ ଆଇସୋଲେଶନ ୱାର୍ଡ ଖୋଲାଯାଇଛି । ଜରୁରିକାଳୀନ ସ୍ଥିତି କିପରି ଏହାର ମୁକାବିଲ କରାଯିବ ସେ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯାଇଛି।