ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭୯୨ ଜଣଙ୍କୁ ଦିଆଗଲା ରନ୍ଧାଖାଦ୍ୟ

ଦେବଗଡ,ଏନ୍ଏନ୍ଏସ୍ : କରୋନାର ମୁକାବିଲା ପାଇଁ ଘୋଷଣା ହୋଇଥିବା ଲକଡାଉନ ସମୟରେ କ୍ଷୁଧାରେ ଥିବା ଗରୀବ, ଅସହାୟ, ନିରାଶ୍ରୟ ଓ ଅନ୍ୟ ରାଜ୍ୟରୁ ବିଭିନ୍ନ ନିର୍ମାଣକାମ ପାଇଁ ଆସି ଲକଡାଉନ ଯୋଗୁଁ ଜିଲ୍ଲାରେ ରହି ଯାଇଥିବା ଶ୍ରମିକମାନଙ୍କୁ ପ୍ରତ୍ୟେକ ଦିନ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜିଲ୍ଲାର ତିନୋଟି ବ୍ଲକର ୫୭ଟି ପଂଚାୟତରେ ୨୫୦୯ଜଣଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ସେଥି ମଧ୍ୟରୁ ୨୨୯୩ ବୟସ୍କ ଓ ୨୧୬ ଶିଶୁ ଉପକୃତ ହୋଇଥିଲେ। ସେହିଭଳି ପୈାରାଂଚଳରେ ମଧ୍ୟ ୨୮୩ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ସହ ବୁଲା ଗୋରୁଙ୍କୁ ମଧ୍ୟ ପୈାର ପରିଷଦ ପକ୍ଷ ରୁ ଗୋଖାଦ୍ୟ ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ବ୍ଲକର ୨୨ଟି ପଂଚାୟତରେ ମୋଟ୧୦୪୬ ଜନସାଧାରଣ ଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଥିଲା। ସେଥି ମଧ୍ୟରୁ ୯୬୫ ଜଣ ବୟସ୍କ ଏବଂ ୮୧ଜଣ ଶିଶୁ ଉପକୃତ ହୋଇଥିବା ବେଳେ , ରିଆମାଳ ବ୍ଲକର ୧୫ଟି ପଂଚାୟତରେ ୨୭୫ଜଣ ଜନସାଧାରଣ ଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୨୩୭ ଜଣ ବୟସ୍କ ଏବଂ ୩୮ ଜଣ ଶିଶୁ ରହିଥିବା ବେଳେ ତିଲେଇବଣି ବ୍ଲକର ୨୦ଟି ପଂଚାୟତରେ ମୋଟ ୧୧୮୮ ଜନସାଧାରଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ୧୦୯୧ଜଣ ବୟସ୍କ ଓ ୯୭ ଜଣ ଶିଶୁ ଉପକୃତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଲକ୍ ଡାଉନ ପରିସ୍ଥିତି ଉଠିବା ପର୍ଯ୍ୟନ୍ତ ସଂପୃକ୍ତ ଶ୍ରେଣୀର ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ।