ଫେସବୁକରେ ୨୭.୫ କୋଟି ଆକାଉଣ୍ଟ ନକଲି: ରିପୋର୍ଟ

ନୂଆଦିଲ୍ଲୀ: ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଟ୍ ଫେସବୁକରେ ପ୍ରାୟ ୨୭.୫ କୋଟି ଆକାଉଣ୍ଟ ନକଲି କିମ୍ବା ଜଣେ ବ୍ୟବହାରକାରୀଙ୍କର ଦୁଇଟି ଲେଖାଏଁ ଆକାଉଣ୍ଟ ଥାଇପାରେ ବୋଲି ଉଲ୍ଲେଖ କରାଯାଇଛି। କମ୍ପାନୀ ତରଫରୁ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଏ ସମ୍ବନ୍ଧରେ ଖୁଲାସା କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ କମ୍ପାନୀର ମାସିକ ସକ୍ରିୟ ଉପଯୋଗକର୍ତ୍ତା (ଏମ୍ଏୟୁ)ଙ୍କ ସଂଖ୍ୟା ୨୫୦ କୋଟି ଥିଲା। ୨୦୧୮ ଡିସେମ୍ବର ୩୧ ତୁଳନାରେ ଏହା ୮% ଅଧିକ ରହିଛି।

୨୦୧୯ରେ ହୋଇଥିବା ଏହି ବୃଦ୍ଧିରେ ଭାରତ, ଇଣ୍ଡୋନେସିଆ ଏବଂ ଫିଲିପିନ୍ର ଉପଯୋଗକର୍ତ୍ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଫେସବୁକ୍ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦୧୯ ଚତୁର୍ଥ ତ୍ରୟମାସରେ ନକଲି ଆକାଉଣ୍ଟର ଅନୁପାତ ମାସିକ ସକ୍ରିୟ ଉପଯୋଗକର୍ତ୍ତାଙ୍କ ଠାରୁ ପ୍ରାୟ ୧୧% ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ତେବେ ଅଧିକ ବିକଶିତ ବଜାରଗୁଡ଼ିକ ତୁଳନାରେ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ଭଳି ବିକାଶଶୀଳ ବଜାରରେ ଏଭଳି ନକଲି ଆକାଉଣ୍ଟ ସଂଖ୍ୟା ଅଧିକ।