ପୁଲିସକୁ ଆକ୍ରମଣ ଘଟଣାରେ ୨୬ ଗିରଫ

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଇରାମିପଡ଼ାରେ ପୁଲିସକୁ ଆକ୍ରମଣ କରିବା ଘଟଣାରେ ୨୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ମଧ୍ୟରେ ୨୨ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି । ପୁଲିସ ଗିରଫ ୱାରେଣ୍ଟିକୁ ଧରିବାକୁ ଯାଇଥିବାବେଳେ ଅଭିଯୁକ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ଫଳରେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନାର ୨ଜଣ ଏସଆଇଙ୍କ ସମେତ ୧୦ଜଣ ଆହତ ହୋଇଥିଲେ । ଏଥିସହିତ ପୁଲିସ ପଞ୍ଝାରୁ ୨ଜଣ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଥିଲେ । ସମସ୍ତ ଅଭିଯୁକ୍ତ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଖରିଆରରୋଡ଼ସ୍ଥିତ ଇରାନୀପଡ଼ା ନିବାସୀ ।

ମିଳିଥିବା ରିପୋର୍ଟ ମୁତାବକ, ଜୋଙ୍କ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଶ୍ରୀ ମେହେରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଖରିଆରରୋଡ଼ ସହର ୱାର୍ଡ ନଂ ୧୩ ଇରାନୀପଡ଼ାକୁ ଡକାୟତି ଘଟଣାରେ ୨ଜଣ ୱାରେଣ୍ଟିକୁ ଗିରଫ କରିବାକୁ ଯାଇଥିଲା । ସେଠାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଥାନାକୁ ଆଣୁଥିଲା। ଏହି ସମୟରେ ଇରାନୀପଡ଼ାର ୪୦ରୁ ଊର୍‌ଦ୍ଧ୍ୱ ମହିଳା ଓ କିଛି ପୁରୁଷ ପୁଲିସ ଟିମକୁ ଘେରିଯାଇ ଯୋଜନାବଦ୍ଧ ଭାବେ ଗୋଡ଼ାଇ ଆକ୍ରମଣ କରିଥିଲେ । ମହିଳାମାନେ ପୁଲିସ ଟିମକୁ ଘେରି ଯାଇ ଟେକା, ପଥର ଓ ଲାଠିରେ ଆକ୍ରମଣ କରିଥିଲେ । ପରେ ଖବର ପାଇ ଜୋଙ୍କ ଥାନା ଆଧିକାରୀ ଶ୍ରୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ପୁଲିସଙ୍କୁ ଉଦ୍ଧାର କରି ଖରିଆର ରୋଡ ସିଏଚସିକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ ।