ଲକଡାଉନ୍ ସମୟରେ ଅଟକିଛି ୨୫୬ ବାଲ୍ୟବିବାହ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଗୁଁ ରାଜ୍ୟରେ ତଥା ଦେଶରେ ଦାରିଦ୍ର୍ୟତା ବଢ଼ିଛି। ଆଉ ଏତିକିବେଳେ ଶିଶୁମାନଙ୍କ ସୁରକ୍ଷା ମଧ୍ୟ ପଛକୁ ଯାଇଛି। ଆଉ ଏହି ଆର୍ଥିକ ଅନଟନ ସମୟରେ ଝିଅ କାହା ପାଇଁ ବୋଝ ତ ଅନେକ ଦଲାଲଙ୍କ ପାଇଁ ଉପାର୍ଜନର ମାଧ୍ୟମ ପାଲଟିଛି। ଯାହାର ପରିଣାମ ସ୍ୱରୂପ ଶିଶୁ ଅଧିକାର ଆଇନ୍ ଓ ବାଲ୍ୟବିବାହ ନିଷେଧ ଆଇନ୍ ଥାଇ ବି ଲକଡାଉନ ସମୟରେ ରାଜ୍ୟରେ କିଭଳି ବାଲ୍ୟ ବିବାହ ହାର ବୃଦ୍ଧି ପାଇବାରେ ଲାଗିଛି, ତାହା ନିକଟରେ ପ୍ରକାଶିତ ଏକ ସଦ୍ୟତମ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଲକଡାଉନ୍ ସମୟରେ ଓଡ଼ିଶାରେ ୧୫ଟି ଜିଲ୍ଲାରେ ୨୫୬ଟି ବାଲ୍ୟବିବାହ ରୋକା ଯାଇପାରିଛି।

ରାଜ୍ୟ ଜିଲ୍ଲା ପ୍ରଶାସନ, ୟୁନିସେଫ୍ ଏବଂ ଆକ୍ସନ୍ଏଡ୍ର ମିଳିତ ସହଭାଗିତାରେ ଏକ ରିପୋର୍ଟ ଅନୁଯାୟୀ ଲକଡାଉନ୍ ସମୟରେ ବିଭିନ୍ନ ଅଞ୍ଚଳରେ ବାଲ୍ୟବିବାହ ନେଇ ସୂଚନା ମିଳିଥିଲା। ବିଶେଷକରି ୧୫ଟି ଜିଲ୍ଲାରେ ବାଲ୍ୟବିବାହକୁ ରୋକାଯାଇଛି। ୨୦୨୦ ମସିହା ମାର୍ଚ୍ଚର ପ୍ରଥମ ଅଧା ସୁଦ୍ଧା ୯୩ ବାଲ୍ୟବିବାହ ରୋକାଯାଇ ଥିବାବେଳେ ଫେବୃଆରୀରେ ୧୯୮ଟି ବିବାହକୁ ବାଲ୍ୟବିବାହ ନିଷେଧ କାର୍ଯ୍ୟାଳୟ ଦ୍ୱାରା ବନ୍ଦ କରାଯାଇଛି। ସେହିପରି ଲକଡାଉନ୍ ସମୟରେ ମାଲକାନଗିରିରେ ୪୨, ରାୟଗଡ଼ାରେ ୨୦, କୋରାପୁଟରେ ୪୨, ନବରଙ୍ଗପୁରରେ ୮, ଗଜପତି ଜିଲ୍ଲାରେ ୩, ଦେଓଗଡ଼ରେ ୧୪, ସୁବର୍ଣ୍ଣପୁରରେ ୧୪, ନୟାଗଡ଼ରେ ୧୯, ଢେଙ୍କାନାଳ ୧୧, ବୌଦ୍ଧ ଜିଲ୍ଲାରେ ୩, ମୟୂରଭଞ୍ଜରେ ୧୧, କେନ୍ଦୁଝରରେ ୨୩, ବାଲେଶ୍ୱରରେ ୭, ଗଞ୍ଜାମରେ ୨୧ ଏବଂ କନ୍ଧମାଳ ଜିଲ୍ଲାରେ ୧୮ଟି ବିବାହକୁ ରୋକାଯାଇଛି।

ଓଡ଼ିଶାରେ ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୪-୧୫ର ତଥ୍ୟ ଅନୁଯାୟୀ ୨୧ ପ୍ରତିଶତ ମହିଳାଙ୍କ ବିବାହ ୧୮ବର୍ଷରୁ କମ୍ ବୟସରେ ହୋଇଛି। ଜାତୀୟସ୍ତରରେ ବାଲ୍ୟବିବାହର ହାର ୨୬.୮ ପ୍ରତିଶତ ରହିଛି। ସେହିପରି ୨୧ ବର୍ଷ ପୂର୍ବରୁ ୧୧ ପ୍ରତିଶତ ପୁଅ ବାଲ୍ୟ ବିବାହ କରିଛନ୍ତି। ଏଥିରେ ମାଲକାନଗିରି ୩୯.୩ ସହିତ ସମସ୍ତ ଜିଲ୍ଲାଠାରୁ ଅଧିକ ରହିଥିବାବେଳେ ନବରଙ୍ଗପୁରରେ ୩୭.୯, ମୟୂରଭଞ୍ଜରେ ୩୫, କୋରାପୁଟରେ ୩୪.୭ ଓ ରାୟଗଡ଼ାରେ ୩୪.୪ ପ୍ରତିଶତ ବାଲ୍ୟ ବିବାହ କରିଛନ୍ତି। ୧୬ଟି ଜିଲ୍ଲାରେ ରାଜ୍ୟ ହାରଠାରୁ ବାଲ୍ୟବିବାହର ହାର ଅଧିକ ମାତ୍ରାରେ ରହିଛି। କରୋନା ଯୋଗୁଁ ଆର୍ଥିକ ଅନଟନ ଆଡ଼କୁ ଟାଣି ହୋଇଯାଉଥିବା ପରିବାରମାନଙ୍କରେ ମହିଳା ଓ ଶିଶୁ ବିଶେଷଭାବେ ପ୍ରଭାବିତ। ବିଦ୍ୟାଳୟ ବନ୍ଦ ଯୋଗୁଁ କମ୍ ବୟସରେ ସେମାନଙ୍କର ଅନିଚ୍ଛା ସତ୍ତେ୍ୱ ଘର ଲୋକେ ବିବାହ କରିବାପାଇଁ ସ୍ଥିର କରୁଛନ୍ତି।

ବିଶେଷକରି ଲକଡାଉନ୍ ସମୟ ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ୨୧ ପ୍ରତିଶତ ଝିଅଙ୍କର ବାଲ୍ୟବିବାହ ହେଉଥିବା ତଥ୍ୟ ରହିଛି। ଯାହାକି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଖୁବ୍ କମ୍। ୧୩ଟି ଜିଲ୍ଲାରେ ଅଧିକମାତ୍ରାରେ ବାଲ୍ୟବିବାହ ହେଉଥିବାର ସୂଚନା ରହିଛି। ଏଥିପାଇଁ ଓଡ଼ିଶାର ବାଲ୍ୟବିବାହ ପ୍ରବଣ ଜିଲ୍ଲାରେ ସିଡିପିଓ, ସିଏମପିଓ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନଙ୍କ ମାଧ୍ୟମରେ ବିବାହ ରୋକା ଯିବା ଏବଂ ସଚେତନତା ପାଇଁ ପଦକ୍ଷେପ ନିଆଯାଉଛି। ଲକଡାଉନ୍ ସମୟରେ ବାଲ୍ୟବିବାହ ସମ୍ପର୍କରେ ସୂଚନା ପାଇ ତାକୁ ରୋକାଯାଇପାରିଛି। ୨୦୩୦ ସୁଦ୍ଧା ଓଡ଼ିଶାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ସମାପ୍ତ କରିବାର ଲକ୍ଷ୍ୟ ରଖାଯାଇଛି। ବିଶେଷକରି ଶିକ୍ଷାର ଅଭାବ, ଦକ୍ଷତା ବିକାଶର ଅଭାବ, ଅଧାରୁ ସ୍କୁଲ ବନ୍ଦ କରିବା ଯୋଗୁଁ ବାଲ୍ୟବିବାହ ହେଉଛି। ଏଥିପାଇଁ ପଞ୍ଚାୟତିରାଜ ପ୍ରତିନିଧି, ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ସେ କହିଛନ୍ତି।