ରାଜ୍ୟରେ ଉଚ୍ଚମାଧ୍ୟମିକ ସ୍କୁଲରେ ଉତ୍କର୍ଷ ପାଠାଗାର ଲାଗି ବର୍ଷକୁ ମିଳିବ ୨୫ ହଜାର ଟଙ୍କା ଅନୁଦାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲଗୁଡିକର ଲାଇବ୍ରେରୀ ବା ପାଠାଗାର ଗୁଡ଼ିକର ଅଡିଟ୍ କରାଯିବ । ଗତ ୫ବର୍ଷ ମଧ୍ୟରେ ପିଲାଙ୍କ ଲାଗି କେତେ ପରିମାଣର ପାଠ୍ୟପୁସ୍ତକ, ମାଗାଜିନ୍‌, ସମ୍ବାଦପତ୍ର କ୍ରୟ କରାଯାଇଛି ଏବଂ ଦୈନିକ କେତେ ଛାତ୍ରଛାତ୍ରୀ ଲାଇବ୍ରେରୀରେ ସେ ସବୁକୁ ବ୍ୟବହାର କରୁଛନ୍ତି ତାହାର ରେକର୍ଡ ମଧ୍ୟ ସଂଗ୍ରହ କରାଯିବ । ତେବେ ଏହି ପ୍ରକ୍ରିୟା ମାର୍ଚ୍ଚ ଶେଷ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ପାଠାଗାରକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ଯାଞ୍ଚରେ ସ୍କୁଲମାନଙ୍କରେ ପିଲାଙ୍କ ଲାଗି ପାଠ୍ୟପୁସ୍ତକ ଯୋଗାଇଦେବା ସୁବିଧା କେତେ ଉନ୍ନତମାନର ରହିଛି ତାହା ସ୍ପଷ୍ଟ ହେବ । ଅଡିଟ୍ ରିପୋର୍ଟକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗକୁ ପ୍ରଦାନ କରାଯିବ ।

ରାଜ୍ୟରେ ଆରମ୍ଭ ହୋଇଛି ‘ସମଗ୍ର ଶିକ୍ଷା ଯୋଜନା’ । ଏହି ଯୋଜନାରେ ଉଚ୍ଚମାଧ୍ୟମିକ ସ୍କୁଲଗୁଡିକୁ ସାମିଲ କରାଯାଇଛି । ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ଭିତ୍ତିଭୂମିକୁ ଗୁରୁତ୍ୱ ଦେବା ସହ ଉଚ୍ଚମାନର ଶିକ୍ଷାଦାନ ପ୍ରତି ସରକାର ସଜାଗ ରହିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ନିଜ ପାଠ୍ୟପୁସ୍ତକ ପଢ଼ିବା ସହ ପାଠାଗାରରେ ଯେପରି ଅନ୍ୟାନ୍ୟ ପୁସ୍ତକ ପଢ଼ି ନିଜର ବହିଃଜ୍ଞାନର ବିକାଶ କରିବେ ସେ ଦିଗରେ ସ୍କୁଲଗୁଡିକରେ ଉନ୍ନତମାନର ପାଠାଗାର ପ୍ରସ୍ତୁତି ଲାଗି ଅନୁଦାନ ଯୋଗାଉଛନ୍ତି ।
ରାଜ୍ୟରେ ମୋଟ ୨୦୪୮ଟି ଉଚ୍ଚମାଧ୍ୟମିକ ସ୍କୁଲ ରହିଛି । ଏଥିରେ ପିଲାଙ୍କ ସଂଖ୍ୟା ପ୍ରାୟ ୭ଲକ୍ଷ । ରାଜ୍ୟରେ ଜାନୁଆରୀରେ ଲର୍ଣ୍ଣିଂ ସେଣ୍ଟର ଖୋଲିବାକୁ ସରକାର ପ୍ରୟାସ କରୁଥିବା ବେଳେ ଏହି ଯୋଜନାରେ ଉଚ୍ଚମାଧ୍ୟମିକ ସ୍କୁଲଗୁଡିକ ସାମିଲ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ସେହିପରି ୨୨ହଜାର ସ୍କୁଲରେ ଥିବା ଲାଇବ୍ରେରୀରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁସ୍ତକ ଥିବା ବେଳେ ପ୍ରାୟ ୨୧ହଜାର ସ୍କୁଲରେ ସର୍ବନିମ୍ନ ୧୦ହଜାର ଟଙ୍କାରୁ କମ୍ ପୁସ୍ତକ ରହିଛି । ସେହିପରି ପ୍ରାୟ ୪୦ ପ୍ରତିଶତ ସ୍କୁଲରେ ପାଠାଗାର ସୁବିଧା ଥିବାବେଳେ ପାଠ୍ୟପୁସ୍ତକ ନଥିବା ଜଣାପଡ଼ିଛି । ତେବେ ଉଚ୍ଚମାଧ୍ୟମିକ ସ୍କୁଲଗୁଡିକ ମଧ୍ୟରୁ କେବଳ ସରକାରୀ ସ୍କୁଲଗୁଡିକରେ ଲାଇବ୍ରେରୀରେ ୫ଲକ୍ଷ ଟଙ୍କାରୁ ଅଧିକ ପୁସ୍ତକ ରହିଥିବା ବେଳେ ଅନୁଦାନପ୍ରାପ୍ତ ଅନୁଷ୍ଠାନ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କଲେଜରେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ପୁସ୍ତକ ରହିଛି । ପ୍ରତିବର୍ଷ ଉଚ୍ଚମାଧ୍ୟମିକ ସ୍କୁଲଗୁଡିକ ପ୍ରଥମବର୍ଷ ନାମଲେଖାଉଥିବା ପିଲାଙ୍କ ଫି’ରୁ କଲେଜ ପାଠାଗାର ଲାଗି ପ୍ରାୟ ୨.୫ପ୍ରତିଶତ ଟଙ୍କାର ପାଠ୍ୟପୁସ୍ତକ କ୍ରୟ କରାଯିବ ବୋଲି ନିଷ୍ପତ୍ତି ଥିବାବେଳେ ରାଜ୍ୟର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଶିକ୍ଷାନୁଷ୍ଠାନରେ ଏହି ନିୟମକୁ ଅବମାନନା କରୁଛନ୍ତି ।

ଏହାବ୍ୟତୀତ ସମଗ୍ର ଶିକ୍ଷା ଯୋଜନାରେ ନବମ ଓ ଦଶମ ଶ୍ରେଣୀ ଲାଗି ବର୍ଷକୁ ପ୍ରାୟ ୧୫ ହଜାର ଟଙ୍କା ଲାଇବ୍ରେରୀ ଲାଗି ଅନୁଦାନ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି । ସେହିଭଳି ଉଚ୍ଚମାଧ୍ୟମିକ ସ୍କୁଲଗୁଡିକ ପାଇଁ ବର୍ଷକୁ ୨୫ ହଜାର ଟଙ୍କା ପାଠଗାରରେ ପୁସ୍ତକ ଏବଂ ପିଲାଙ୍କ ଶିକ୍ଷା ପଯୋଗ ଲାଗି ସହାୟତା ପ୍ରଦାନ କରାଯିବ । ତେବେ ଏହି ଅନୁଦାନ ପ୍ରତିବର୍ଷ ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ପ୍ରଦାନ କରାଯିବ । ଆସନ୍ତା ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଅଡିଟ୍ କାର୍ଯ୍ୟ ଶେଷ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ଏଦିଗରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ କରୋନା ଲାଗି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ । ତେବେ ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରି ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ପିଲାଙ୍କୁ ସୁଯୋଗ ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।