ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୋମବାର ରାଜ୍ୟର ସମସ୍ତ ପେରସଂସ୍ଥାକୁ ଚିଠି ଲେଖାଯାଇ କ୍ୱାରେଂଟାଇନ୍ ସେଂଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କମ୍ୟୁନିଟି ହଲ୍ ଓ କଲ୍ୟାଣ ମଣ୍ଡପକୁ ଅସ୍ଥାୟୀ କ୍ୱାରେଂଟାଇନ୍ ସେଂଟର କରିବା ପାଇଁ ଘୋଷଣା ହୋଇଛି । ରାଜଧାନୀରେ ପ୍ରାୟ ୨୫ଟି ସ୍ଥାନରେ ବିଏମସି ଅସ୍ଥାୟୀ କ୍ୱାରେଂଟାଇନ୍ ସେଂଟର ଖୋଲିବ ।
ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ଚିଠିରେ ଅସ୍ଥାୟୀ କ୍ୱାରେଂଟାଇନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । କଲ୍ୟାଣମଣ୍ଡପଗୁଡିକୁ ଅସ୍ଥାୟୀ କ୍ୱାରେଂଟାଇନ କେନ୍ଦ୍ର କରିବା ସହ ବାତ୍ୟା ଆଶ୍ରୟସ୍ଥଳକୁ ବି କ୍ୱାରେଂଟାଇନ କେନ୍ଦ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବାତ୍ୟା ଆଶ୍ରୟସ୍ଥଳ ଓ କଲ୍ୟାଣମଣ୍ଡପକୁ ତୁରନ୍ତ ରଙ୍ଗ କରିବା , ବିଜୁଳି ସଂଯୋଗ ସହ ଡିଜି ସେଟ୍ ବି ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କେନ୍ଦ୍ରଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୱାର୍ଡ ଅଫିସରମାନେ କେନ୍ଦ୍ର ଗୁଡିକର ତଦାରଖ କରିବେ ଏବଂ ସେମାନଙ୍କୁ “ସ୍ୱଚ୍ଛ ସାଥୀ’ ସ୍ୱଚ୍ଛତାରେ ସହଯୋଗ କରିବେ । ଏହା ବ୍ୟତୀତ ଦିନ ୨ ଟା ପରେ ପୌରାଂଚଳର ସମସ୍ତ ପାର୍କ ବନ୍ଦ ହେବ ବୋଲି ଉକ୍ତ ଚିଠିରେ ଦର୍ଶାଯାଇଛି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କ୍ୱାରେଂଟାଇନ୍ ସେଂଟରର ତାହାର ଏକ ସୂଚୀ ଜାରି କରାଯାଇଛି । ସେଗୁଡିକ ହେଲା ଭୁବନେଶ୍ୱରର ଆଚାର୍ୟ୍ୟ ବିହାର ପ୍ରାଥମିକ ବିଦ୍ୟାଳୟ , ୟୁନିଟ୍ ୯ ବାଳକ/ବାଳିକା ବିଦ୍ୟାଳୟ, ସହିଦନଗର ହାଇସ୍କୁଲ/ଆଇପିଏସସି ବିଲଡିଂ(ୱାର୍ଡ ଅଫିସ୍). ପଳାଶୁଣି ୟୁ.ଜି ସ୍କୁଲ ରସୁଲଗଡ଼, ଲକ୍ଷ୍ମୀସାଗର ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଅରୋବିନ୍ଦ ଇ.ଏମ୍ ସ୍କୁଲ, ଲେନ୍-୧, ଜଗନ୍ନାଥ ନଗର, ଯାତ୍ରୀ ନିବାସ(କଟକ ରୋଡ୍), ଖେଳଘର ସ୍କୁଲ(ସତ୍ୟନଗର), କ୍ୟାପିଟାଲ ହାଇସ୍କୁଲ(ୟୁନିଟ୍ ୩), ୟୁନିଟ୍-୪ ଉଚ୍ଚପ୍ରାଥମିକ ବିଦ୍ୟାଳୟ(ନଗର କମିଟି, ମଧୁସୂଦନ ନଗର), ୟୁନିଟ୍-୨ ବାଳିକା ବିଦ୍ୟାଳୟ, ଟେକ୍ସଟ ବୁକ୍ ପ୍ରେସ୍ କଲୋନି ହାଇସ୍କୁଲ, ବୁଦ୍ଧେଶ୍ୱର କମ୍ୟୁନିଟି ସେଂଟର, ଲକ୍ଷ୍ମୀସାଗର ହାଇସ୍କୁଲ, ବରଗଡ଼ ଉଚ୍ଚପ୍ରାଥମିକ ଏବଂ ହାଇସ୍କୁଲ, ଚିନ୍ତାମଣିଶ୍ୱର ବାଳିକା ହାଇସ୍କୁଲ ଏବଂ ଶବରସାହି ପ୍ରାଥମିକ ବିଦ୍ୟାଳୟ, ବାପୁଜିନଗର ପ୍ରାଥମିକ ବିଦ୍ୟାଳୟ, ଗୋସଗୋରେଶ୍ୱର ପ୍ରାଥମିକ ବିଦ୍ୟାଳୟ(ରଥ ରୋଡ୍), ମିସନ ସ୍କୁଲ(ବିବେକାନନ୍ଦ ମାର୍ଗ), ଗୌତମନଗର ବାଳିକା ହାଇସ୍କୁଲ ଏବଂ ହରିହର ବିଦ୍ୟାପୀଠ(ନଗେଶ୍ୱରଟାଙ୍ଗି), ବିଜେପି କଲେଜ ନିଉ ଆର୍ଟସ୍ ବ୍ଲକ୍, ସରସ୍ୱତୀ ଶିଶୁମନ୍ଦିର ବରଗଡ଼ ବ୍ରିଟ୍ କଲୋନି, ବ୍ରହ୍ମେଶ୍ୱର ଉଚ୍ଚପ୍ରାଥମିକ ଏବଂ ହାଇସ୍କୁଲ, ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଏସ୍.ଏମ୍ ବାଳିକା ହାଇସ୍କୁଲ(ଓଲଡ୍ ଟାଉନ୍), ଭୀମଟାଙ୍ଗୀ ପ୍ରାଥମିକ ବିଦ୍ୟାଳୟ ଏବଂ ଏକାମ୍ର କଲେଜଠାରେ ଅସ୍ଥାୟୀ କ୍ୱାରେଂଟାଇନ୍ ସେଂଟର ଖୋଲାଯିବ ।