ମୁମ୍ବାଇ,ଏଜେନ୍ସି: ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ପାଇଁ ସମସ୍ତ ଟିମ୍ ମାର୍ଚ୍ଚ ୧୪ କିମ୍ବା ୧୫ ତାରିଖରୁ ଅଭ୍ୟାସ ଆରମ୍ଭ କରିବେ। ଏଥିପାଇଁ ପାଞ୍ଚଟି ଅଭ୍ୟାସ ଭେନ୍ୟୁ ଚିହ୍ନଟ କରାଯାଇଛି। ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ)ର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସ, ଥାନେର ଏମ୍ସିଏ ଷ୍ଟାଡିୟମ୍, ଡ. ଡିୱାଇ ପାଟିଲ୍ ବିଶ୍ୱବିଦ୍ୟାଳୟ ପଡ଼ିଆ, ସିସିଆଇ (କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ) ସହିତ ଫୁଟ୍ବଲ୍ ପଡ଼ିଆ ତଥା ଘନସୋଲିର ରିଲାଏନ୍ସ କର୍ପୋରେଟ୍ ପାର୍କ ପଡ଼ିଆକୁ ଅଭ୍ୟାସ ଭେନ୍ୟୁ ଭାବେ ଚିହ୍ନଟ କରାଯାଇଥିବା ଜଣାଯାଇଛି। ଅଭ୍ୟାସ ପାଇଁ ଟିମ୍ର ଖେଳାଳିମାନେ ଏଠାରେ ମାର୍ଚ୍ଚ ୮ ତାରିଖରେ ପହଞ୍ଚିବାର ସମ୍ଭାବନା ରହିଛି।
ଆଇପିଏଲ୍ର ସୁଚାରୁ ପରିଚାଳନା ନିମନ୍ତେ ମହାରାଷ୍ଟ୍ର ସରକାର ବିସିସିଆଇ ଓ ଏମ୍ସିଏ ସହିତ ବୈଠକ କରିଛନ୍ତି। ଆଇପିଏଲ୍ର ଆଗାମୀ ସଂସ୍କରଣରେ ୧୦ଟି ଟିମ୍ ଭାଗନେବେ। ଚେନ୍ନାଇ ସୁପର୍ କିଙ୍ଗ୍ସ ଓ କୋଲ୍କାତା ନାଇଟ୍ ରାଇଡର୍ସ ମଧ୍ୟରେ ୱାଙ୍ଖେଡେରେ ମାର୍ଚ୍ଚ ୨୬ ତାରିଖରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ ଏବଂ ମେ ୨୨ ତାରିଖରେ ଶେଷ ହେବ। ଲିଗ୍ରେ ଚଳିତ ଥର ୧୨ଟି ଡବଲ୍ ହେଡର୍ ମ୍ୟାଚ୍ ଖେଳାଯିବ।
ସେହିପରି ଅଭ୍ୟାସସ୍ଥଳରେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍ ଓ ଅଧିକାରୀଙ୍କୁ ଆର୍ଟି-ପିସିଆର୍ ଟେଷ୍ଟ କରାଇବା ଆବଶ୍ୟକ। ଖେଳାଳିଙ୍କ ରହିବା ପାଇଁ ମୁମ୍ବାଇରେ ୧୦ ଏବଂ ପୁଣେରେ ଦୁଇଟି ହୋଟେଲ୍ ବଛା ଯାଇଛି। ଅନ୍ୟପକ୍ଷରେ ଖେଳାଳିଙ୍କୁ ନିଜ ନିଜର ଟିମ୍ ବାୟୋ ବବଲ୍ରେ ପ୍ରବେଶ କରିବା ପୂର୍ବରୁ ତିନିରୁ ପାଞ୍ଚ ଦିନ ଆଇସୋଲେସନ୍ରେ ରହିବାକୁ ହେବ। ଆଇପିଏଲ୍-୧୫ର ଲିଗ୍ ପର୍ଯ୍ୟାୟ ମୁମ୍ବାଇ ଓ ପୁଣେରେ ଖେଳାଯିବ।
ଅନ୍ୟପକ୍ଷରେ ମାର୍ଚ୍ଚ ୨୬ରୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି। ଆଗାମୀ ଆଇପିଏଲ୍ ନେଇ ମହାରାଷ୍ଟ୍ର ସରକାର ଏବଂ ବିସିସିଆଇ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍ ପ୍ରସ୍ତୁତି ନେଇ ବୁଧବାର ମହାରାଷ୍ଟ୍ର ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକ୍ରେ ଏବଂ ସଂରକ୍ଷକ ମନ୍ତ୍ରୀ ଏକନାଥ ସିନ୍ଦେ ବିସିସିଆଇ କାର୍ଯ୍ୟକାରୀ ସିଇଓ ହେମାଙ୍ଗ୍ ଅମିନ୍ ଓ ମୁମ୍ବାଇ କ୍ରିକେଟ୍ ସଂଘ (ଏମ୍ସିଏ) ପ୍ରମୁଖ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମନ୍ତ୍ରୀ ଆଦିତ୍ୟ ଠାକ୍ରେ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ସିଏ ସଭାପତି ବିଜୟ ପାଟିଲ୍, ଏବଂ ମିଲିନ୍ଦ ନର୍ଭେକର୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବ୍ୟକ୍ତିଗତ ସଚିବ ତଥା ଏମ୍ସିଏ ଟି-୨୦ ଗଭର୍ଣ୍ଣିଂ କାଉନ୍ସିଲ୍ ଅଧ୍ୟକ୍ଷଙ୍କ ସମେତ ମୁମ୍ବାଇ, ଥାନେ ଓ ନଭି ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ କମିଶନର୍ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।