ରାଜଧାନୀରୁ ପୁଣି ୨୫ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୨୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ସ୍ଥାନୀୟ ମାମଲା ଓ ୨ଟି ହୋମ କ୍ୱାରେଣ୍ଟାଇନ ହୋଇଥିବା ଜଣାପଡ଼ିଛି। ଏଥିସହିତ ୭ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ମାମଲା ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫ଜଣ, ସାମନ୍ତରାପୁରର ଗୋଟିଏ ପରିବାରରୁ ୨ଜଣ, ଚକେଇସିଆଣୀ ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ଜଣ, ଚକେଇସିଆଣୀ ହାଡ଼ବାଇ ବସ୍ତିରୁ ୨ଜଣ, ପାସପୋର୍ଟ ଅଫିସ ନିକଟସ୍ଥ ବାଲିତୋଟାସାହି ବସ୍ତିରୁ ୪ଜଣ, ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଜଣେ ଓ ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ରହିଛନ୍ତି। ସେହିପରି ଅଶୋକନଗର, ନିଳାଦ୍ରୀବିହାରରୁ ଜଣେ ଲେଖାଏଁ ଓ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ହୋମ କ୍ୱାରେଣ୍ଟାଇନ ମାମଲା ମଧ୍ୟରୁ ଜଣେ କଲିକତା ଫେରନ୍ତା ଘରୋଇ ହସ୍ପିଟାଲର କର୍ମଚାରୀ ରହିଥିବାବେଳେ ଅନ୍ୟଜଣେ ଦିଲ୍ଲୀ ଫେରନ୍ତା ରେଳ କର୍ମଚାର ଅଛନ୍ତି।

ଅନ୍ୟପଟେ ଆଜି ସୁସ୍ଥ ହୋଇଥିବା ୭ଜଣଙ୍କ ମଧ୍ୟରୁ ଘରୋଇ ହସ୍ପିଟାଲର ୫ଜଣ କର୍ମଚାରୀ, ଜଣେ ରେଳ କର୍ମଚାରୀ ଓ ଭିଏସ୍ଏସନଗରର ଜଣେ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ହୋଇଥିବାବେଳେ ୧୭୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୫ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।