ବୋଲେରୋରୁ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ୍

କୋରାପୁଟ,ଏନ୍ଏନ୍ଏସ୍: ଓଡ଼ିଶା-ଆନ୍ଧ୍ରପ୍ରଦେଶର ସୀମାନ୍ତରୁ କଳାହାଣ୍ଡିକୁ ଏକ ବୋଲେରୋରେ ଗଞ୍ଜେଇ ଚୋରା ଚାଲଣ ହେଉଥିବାବେଳେ ପାଡୁଆ ପୁଲିସ ଏହାକୁ ଜବତ କରିଛି। ଏଥି ସହିତ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓ ଏବଂ ପାଡୁଆ ଥାନା ଅଧିକାରୀ ମିଳିତ ଚଟୁଆ ଗ୍ରାମ ନିକଟରେ ନକାବନ୍ଦି କରିଥିଲେ। ଏହି ସମୟରେ ଦୃତ ଗତିରେ ଆସୁଥିବା ଏକ ବୋଲେରୋକୁ ଅଟକାଇ ଗାଡ଼ି ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ।

ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଏହି ଗାଡ଼ି ଓଡ଼ିଶା ଆନ୍ଧ୍ର ସୀମାନ୍ତ ସୁଡୁକ ଗ୍ରାମରୁ ଗଞ୍ଜେଇ ନେଇ କଳାହାଣ୍ଡି ଚୋରା ଚାଲାଣ କରୁଥିଲେ। ବୋଲେରୋରେ ପ୍ରାୟ ଅଢ଼େଇ କୁଇଣ୍ଟାଲରୁ ଅଧିକା ହେବା ନେଇ ପୁଲିସ ଅନୁମାନ କରୁଛି। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି।

ଅଟକ ଯୁବକମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୀଙ୍ଗୁର ଗ୍ରାମର ଗୌର ଗୋପାଳ ପଣ୍ଡା ଏବଂ କୋଟପାଡି ଗ୍ରାମର ଗିରିଧାରୀ ଦିଶାରୀ। ଅଭିଯୁକ୍ତମାନେ ଏହି ଗଞ୍ଜେଇ କାହାଠୁ କିଣିଥିଲେ ଏବଂ କାହାକୁ ବିକ୍ରି କରିଥାନ୍ତେ ଏହାକୁ ନେଇ ପୁଲିସ ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି।