ଏଟିଏମ୍ ଭାଙ୍ଗି ୨୫ ଲକ୍ଷ ଲୁଟ୍

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ସହରର ଅମ୍ବିକାଇ ଛକ ତ୍ରିମୂର୍ତି ସିନେମା ହଲ୍ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏଟିଏମ୍ ଭାଙ୍ଗି ୨୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି । ଦୁର୍ବୃତ୍ତ ମାନେ ପ୍ରଥମେ ଏଟିଏମ୍ ରେ ଲାଗିଥିବା ଦୁଇଟି ସିସିଟିଭି କ୍ୟାମେରାକୁ ଭାଙ୍ଗି ଅଚଳ କରିଦେଇଥିଲେ । ପରେ ଏଟିଏମ୍ କୁ ଗ୍ୟାସ୍ କଟର ମେସିନ ସହାୟତାରେ କାଟି ଏଥିରୁ ଟଙ୍କା ଲୁଟି ନେଇଥିଲେ । ମଂଗଳବାର ସକାଳେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯାଜପୁର ଟାଉନ୍ ଥାନା ଅଧିକାରୀ ଆଶିଷ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଥିଲେ । ପରେ ଏସଡ଼ିପିଓ ରବୀନ୍ଦ୍ର କୁମାର ଜେନା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଘଟଣାସ୍ଥଳରେ ପହଂଚି ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିଛନ୍ତି ।

ବ୍ୟାଙ୍କ କର୍ତୃପକ୍ଷଙ୍କ ଅଭିଯୋଗକୁ ଭିତି କରି ଟାଉନ୍ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ କେଉଁ ଲୁଟେରା ଗ୍ୟାଙ୍ଗର ହାତ ରହିଛି ସେନେଇ ଖୋଳତାଡ଼ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ଅନ୍ୟପକ୍ଷରେ ତ୍ରିମୂର୍ତି ସିନେମା ହଲ୍ ନିକଟରେ ଥିବା ଏହି ଏଟିଏମ୍ ରେ ସୋମବାର ସଂନ୍ଧ୍ୟା ୭ଟା ସମୟରେ ଏସବିଆଇ ପକ୍ଷରୁ ୨୫ ଲକ୍ଷ ଟଙ୍କା ଲୋଡ୍ କରାଯାଇଥିଲା । ଏପରିକି ଏହି ଟଙ୍କା ଏଟିଏମ୍ ରେ ଲୋଡ୍ ପୂର୍ବରୁ ଆଉ କିଛି ଟଙ୍କା ମଧ୍ୟ ଆଗରୁ ଏଟିଏମ୍ ରେ ଥିଲା । ପ୍ରାୟ ୨୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଏସବିଆଇ ପକ୍ଷରୁ କୁହାଯାଇଛି ।