ଶ୍ରମିକ ଚାଲାଣ ଉପରେ କଡା ନଜର: ୨୫ ଦାଦନ ସର୍ଦ୍ଦାର ଗିରଫ

ବଲାଙ୍ଗୀର,ଏନଏନଏସ: ବଲାଙ୍ଗୀର ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଦାଦନ ଶ୍ରମିକ ଚାଲାଣ ଉପରେ ଲଗାମ ଲଗାଇବା ପୁଲିସ ଅଣ୍ଟା ଭିଡିଛି । ଇତି ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ପୁଲିସ ୨୫ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ସମୁଦାୟ ୯ଟି ମାମଲା ରୁଜୁ କରାଯାଇଛି ବୋଲି ବଲାଙ୍ଗୀର ଏସପି ସନ୍ଦୀପ ସମ୍ପତ ତାଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏକ ସାଂବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କ ନାରେ ୩୭୦ , ୪୧୭ ଓ ୧୨୦(ବି) ଧାରାରେ ମାମଲା ରୁଜୁ କରାଯାଇଥିବା ଏସପି କହିଛନ୍ତି ।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ବଲାଙ୍ଗୀର ଜିଲ୍ଲାରେ ଦାଦନ ସମସ୍ୟା ଲାଗି ରହିଛି । ଦାଦନ ସମସ୍ୟା ରୋକିବା ପାଇଁ ସରକାରୀସ୍ତରରେ ବିଭିନ୍ନ ପ୍ରକାର ଯୋଜନା କରାଯାଉଥିଲେ ମଧ୍ୟ ଏହି ସମସ୍ୟାକୁ ରୋକା ଯାଇ ପାରିନାହିଁ । ଆଜି ମଧ୍ୟ ଲକ୍ଷଲକ୍ଷ ସଙ୍ଖ୍ୟାରେ ଲୋକେ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇ ନାନା ପ୍ରକାର ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେବେ ଏଭଳି ଏକ ସମୟରେ ଦାଦନ ଶ୍ରମିକ ଚାଲାଣ ଉପରେ ଲଗାମ ଲଗାଇବା ତଥା ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପୋଲିସ ମହା ନିର୍ଦ୍ଧେଶକ ବଲାଙ୍ଗୀର ଜିଲ୍ଲା ପୁଲିସକୁ ନିର୍ଦ୍ଧେଷ ଦେଇଛନ୍ତି ।

ଡିଜିଙ୍କ ନିର୍ଦ୍ଦେଶକ୍ରମେ ଓ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁଲାଲଙ୍କ ତତ୍ତ୍ୱାବଧାନରେ ତଥା ବଲାଙ୍ଗୀର ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି । ଏହି ଟିମ ଶୁକ୍ରବାର ରାତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଦାଦନ ସର୍ଦ୍ଦାରମାନଙ୍କୁ ଗିରଫ କରିଛି । ପୁଲିସ କଣ୍ଟାବାଂଜି ଥାନା ଅଞ୍ଚଳରୁ ୮ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଥିବା ବେଳେ ତୁରେକେଲା ଅଞ୍ଚଳରୁ ୬ , ବେଲପଡା ଅଞ୍ଚଳରୁ ୫ , ଖପ୍ରାଖୋଲରୁ ୪ ଓ ଲାଠୋରରୁ ୨ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୁଦ୍ଧରେ କଣ୍ଟାବାଂଜି , ତୁରେକେଲା , ବେଲପଡା ଓ ଖପ୍ରାଖୋଲ ଥାନାରେ ୨ ଟି ଲେଖାଏଁ ମାମଲା ରୁଜୁ ହୋଇଥିବା ବେଳେ ଖପ୍ରାଖୋଲ ଥାନାରେ ଗୋଟାଏ ମାମଲା ରୁଜୁ ହୋଇଛି । ତେବେ ଏମାନଙ୍କ ଦ୍ୱାରା ଚାଲାଣ କରାଯାଇଥିବା ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଉଦ୍ଧାର ହେବାକୁ ଥିବା ଶ୍ରମିକମାନଙ୍କୁ ସରକାରୀ ଯୋଜନା ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ ସାଙ୍ଗକୁ ଥଇଥାନ କରାଯିବ ବୋଲି ଏସିପ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଏମାନଙ୍କ ନାରେ ମାମଲା ଥାଇପାରେ ବୋଲି ମଧ୍ୟ ସେ କହିଛନ୍ତି । ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଏଭଳି ଚଢାଉ କରାଯିବ ଓ ଦାଦନ ଶ୍ରମିକ ଚାଲାଣ ଉପରେ ସମ୍ପୁର୍ଣ୍ଣ ରୋକ ଲଗାଯିବ ବୋଲି ଏସପି କହିଛନ୍ତି ।